ନୂଆଦିଲ୍ଲୀ: ଗୁରୁଗ୍ରାମର ଚର୍ଚ୍ଚିତ ହିଟ୍-ଆଣ୍ଡ୍-ରନ୍ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗଲ୍ଫ କୋର୍ସ ରୋଡ୍ରେ ଶିବାନୀ ଚୌହାନ ଓରଫ୍ ସିୟା ନାମକ ମହିଳା ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହେବା ମାମଲାରେ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ଗିରଫ କରାଯାଇଛି । ଘଟଣା ପରଠାରୁ ସେ ଫେରାର ଥିବାବେଳେ ଗୁରୁଗ୍ରାମ ପୋଲିସ ତାକୁ ରାଜସ୍ଥାନର ଦୌସା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ।
ଗୁରୁଗ୍ରାମ ପୋଲିସ ଏହି ଘଟଣାର ସ୍ୱତଃପ୍ରବୃତ୍ତ ଭାବେ ସଂଜ୍ଞାନ ନେଇ ସେକ୍ଟର-୫୬ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ, ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିବା ସନ୍ଦେହରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧ ଏବଂ ୧୨୫ ଅଧୀନରେ ମାମଲା ରୁଜୁ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା । ପୋଲିସ ପୀଡ଼ିତାଙ୍କ ପରିବାର ଅଭିଯୋଗ ଏବଂ ସିସିଟିଭି ଫୁଟେଜ୍ ତଥ୍ୟ ଆଧାରରେ ହତ୍ୟା ଉଦ୍ୟମ ଅଭିଯୋଗରେ ବିଏନଏସ୍ ଧାରା ୩୦୭ରେ ପୋଲିସ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପୂର୍ବାଞ୍ଚଳ ଡିସିପି ସନ୍ଦୀପ ମଲିକ କହିଛନ୍ତି ଯେ ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କାର ଚଳାଉଥିବା ଯୁବକ ଜାଣିଶୁଣି ସିୟାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ସେଥିପାଇଁ ପୋଲିସ ବିଏନ୍ଏସ୍ ଧାରା ୩୦୭ ଅନୁଯାୟୀ ମାମଲା ରୁଜୁ କରିଛି ।
ଶିବାନୀଙ୍କ ବାପା ରୋଶନ ଚୌହାନ ଅଭିଯୋଗ କରିଛନ୍ତି ଯେ ସିସିଟିଭି ଫୁଟେଜରେ ଏହା ସାଧାରଣ ଦୁର୍ଘଟଣା ନୁହେଁ । ସେ ଯେଉଁଭଳି ଭାବେ ଶିବାନୀଙ୍କ ବାଇକୁ ଧକ୍କା ଦେଇ ଘୋଷାଡ଼ି ନେଉଛନ୍ତି ତାହା ଏକ ହତ୍ୟା ଉଦ୍ୟମ ଅଟେ । ପ୍ରଥମେ ଝିଅ ଘରକୁ ଫେରିବା ପରେ ଡରିକି କିଛି କହୁନଥିଲା । ପରେ ସେ ସବୁ ସତ କଥା କହିଥିଲା ବୋଲି ତାଙ୍କ ବାପା କହିଛନ୍ତି ।
ବାଇକ୍ ଆରୋହୀ ଶିବାନୀ ତାଙ୍କ ଦଳ ସହିତ ଗଲ୍ଫ କୋର୍ସ ରୋଡରେ ଏକ ସ୍ପୋର୍ଟସ୍ ବାଇକ୍ ଚଲାଉଥିଲେ। କାର୍ ଡ୍ରାଇଭର କଲ୍ୟାଣ ବୈସଲା ସେମାନଙ୍କ ପଛେ ପଛେ ଆସି ବିପଜ୍ଜନକ ଭାବରେ ସେମାନଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ଏବଂ ସିଧାସଳଖ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲେ । ଧକ୍କା ଏତେ ଜୋରରେ ଥିଲା ଯେ ମହିଳା ଜଣକ ରାସ୍ତାରେ ଛିଟିକି ପଡ଼ିଥଲେ । ଏହା ପରେ କାରଟି ବାଇକ୍ କିଛି ବାଟ ଘୋଷାଡ଼ି ନେଇଥିଲା । ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।