ନୂଆଦିଲ୍ଲୀ: ଏକ ଅଜଣା ନମ୍ବରରୁ ଆସିଥିବା ବିବାହ ନିମନ୍ତ୍ରଣ ପତ୍ର ଡାଉନଲୋଡ୍ କରୁ କରୁ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ଯେଉଁ ବିବାହ ନିମନ୍ତ୍ରଣ ଖୁସି ଦେଇଥିଲା ସେହି ନିମନ୍ତ୍ରଣ ପତ୍ର ଆଖିରେ ଲୁହ ଦେଇଗଲା । ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ଉତ୍ତର ପ୍ରଦେଶ ଗୌରାବାଦଶାହପୁର ଅଞ୍ଚଳର କୁରେଥୁ ଗ୍ରାମର ବାସିନ୍ଦା ପ୍ରିନ୍ସ ଯାଦବ ।
ପ୍ରିନ୍ସ ଯାଦବଙ୍କଙ୍କ ଅଭିଯୋଗ ଅନୁସାରେ, ସେପ୍ଟେମ୍ବର ୬ ତାରିଖରେ ତାଙ୍କୁ ୱାଟସ୍ଆପରେ ଏକ ଅଜଣା ମୋବାଇଲ୍ ନମ୍ବରରୁ ବିବାହ ନିମନ୍ତ୍ରଣ ପତ୍ର ନାମରେ ଏକ ଏପିକେ ଫାଇଲ୍ ଆସିଥିଲା । ସେ ସେହି ଫାଇଲକୁ ଡାଉନଲୋଡ୍ କରି ଓପନ୍ କରିବା ମାତ୍ରେ ତାଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଯାଇଥିଲା। ଏହା ପରେ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ତାଙ୍କ ବ୍ୟାଙ୍କ ଖାତାରୁ ଚାରୋଟି ଟ୍ରାଞ୍ଜାକ୍ସନ୍ ହୋଇଥିଲା । ପରେ ମୋଟ ୧ ଲକ୍ଷ ୭୬ ହଜାର ୮୫୦ ଟଙ୍କା କଟିଯାଇଥିଲା । ଖାତାରୁ ଟଙ୍କା ଉଠାଯାଇଥିବା ନେଇ ନୋଟିସ୍ ଆସିବା ପରେ ପ୍ରିନ୍ସଙ୍କ ପଦ ତଳୁ ମାଟି ଖସିଯିବା ଭଳି ଅନୁଭବ ହୋଇଥିଲା ।
ସେ ତୁରନ୍ତ ସାଇବର କ୍ରାଇମ୍ ହେଲ୍ପଲାଇନ୍ (୧୯୩୦) ରେ ଅଭିଯୋଗ ଦାଖଲ କରିଥିଲେ। ତଦନ୍ତ ପାଇଁ ବ୍ୟାଙ୍କ ଯିବା ପରେ, ଅଧିକାରୀମାନେ ତାଙ୍କୁ ଜଣାଇଥିଲେ ଯେ ଏହି ଟଙ୍କା ଏକ ଗୁଗୁଲ୍ ଆଇଡି (Google ID) ସହିତ ସଂଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି । କେରାକାଟ୍ର ସର୍କଲ୍ ଅଫିସର ଜୟ ପ୍ରକାଶ ରାୟଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସାଇବର୍ ଟିମ୍ ଠକକୁ ଧରିବାକୁ ତଦନ୍ତ ଜାରି ରଖିଛନ୍ତି ।