ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ସକ୍ରିୟ ଓକିଲମାନଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାଶଲେସ୍ ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି। କଲ୍ୟାଣ ପାଣ୍ଠି, ଚାମ୍ବର ଏବଂ ଆଇନ ଅଧିକାରୀମାନଙ୍କୁ ଟ୍ୟାବଲେଟ୍ ପ୍ରଦାନ ସହ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଓକିଲମାନଙ୍କ ପାଇଁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାର କ୍ୟାଶଲେସ୍ ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି। ହାଇକୋର୍ଟ ଏବଂ ଜିଲ୍ଲା ଅଦାଲତଗୁଡ଼ିକରେ ସକ୍ରିୟ ଭାବେ ଓକିଲାତି କରୁଥିବା ଆଇନଜୀବୀମାନେ ଏହାର ଲାଭ ପାଇବେ। ହାଇକୋର୍ଟରେ ୧୦ ହଜାରରୁ ଅଧିକ ଆଇନଜୀବୀଙ୍କ ପାଇଁ ନିର୍ମିତ ଚାମ୍ବରରେ ଫର୍ନିଚର ଏବଂ ଉପକରଣ ଯୋଗାଇଦେବା ପାଇଁ ମୁଖ୍ୟ ବିଚାରପତିଙ୍କ ମାଧ୍ୟମରେ ଆସିବାକୁ ଥିବା ପ୍ରସ୍ତାବରେ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏହାସହ ୪୦୦ ରାଜ୍ୟ ଆଇନ ଅଧିକାରୀଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବା ପାଇଁ ଟ୍ୟାବଲେଟ୍ ଦେବାକୁ ଘୋଷଣା କରିଛନ୍ତି।
ହାଇକୋର୍ଟ ବାର୍ ଆସୋସିଏସନ୍, ଆଲାହାବାଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ୧୦ ହଜାରରୁ ଅଧିକ ଆଇନଜୀବୀଙ୍କ ପାଇଁ ଚାମ୍ବର, ମଲ୍ଟିଲେଭେଲ୍ ପାର୍କିଂ, ଡାଇନିଂ ହଲ୍, କମନ୍ ରୁମ୍ ଏବଂ ଲାଇବ୍ରେରୀ ନିର୍ମାଣ କରାଯାଇଛି।
ଏହା ସହିତ ଆଇନଜୀବୀ କଲ୍ୟାଣ ପାଣ୍ଠିର ରାଶି ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଓକିଲଙ୍କ ବିୟୋଗରେ ପରିବାରକୁ ମିଳୁଥିବା ଆର୍ଥିକ ସହାୟତାର ବୟସ ସୀମା ମଧ୍ୟ ୬୦ ରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ କୌଶାମ୍ବୀ, ଲକ୍ଷ୍ନୌ, କାସଗଞ୍ଜ ଏବଂ ଶ୍ରାବସ୍ତୀ ସମେତ ପ୍ରାୟ ଗୋଟିଏ ଡଜନ୍ ଜିଲ୍ଲାରେ ଓକିଲ ଚାମ୍ବର ନିର୍ମାଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଛି।
ଓକିଲମାନେ ବୁଦ୍ଧିଜୀବୀ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ… କହିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଆଇନଜୀବୀ ସମାଜ ଦେଶର ବୁଦ୍ଧିଜୀବୀ ବର୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ସମ୍ବିଧାନ ନିର୍ମାଣ, ଗଣତନ୍ତ୍ରର ସ୍ତମ୍ଭକୁ ମଜବୁତ କରିବା ଏବଂ ରାଷ୍ଟ୍ର ନିର୍ମାଣ ପର୍ଯ୍ୟନ୍ତ ଆଇନଜୀବୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାର୍ ଏବଂ ବେଞ୍ଚ୍ ନ୍ୟାୟ ରୂପୀ ରଥର ଦୁଇଟି ମୁଖ୍ୟ ସ୍ତମ୍ଭ।
ଉଭୟଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ, ଶିଷ୍ଟାଚାର, ସଂଳାପ, ସମନ୍ୱୟ ଏବଂ ସହଯୋଗ ନିରନ୍ତର ବଜାୟ ରହିବା ଉଚିତ। ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ବୈଠକରେ କେବଳ ନ୍ୟାୟପାଳିକା ସହ ଜଡ଼ିତ ବିଷୟ ଉପରେ ଆଲୋଚନା ହୁଏନାହିଁ, ବରଂ ଆଇନଜୀବୀମାନଙ୍କ ସମସ୍ୟା ମଧ୍ୟ ଉପସ୍ଥାପନ କରାଯାଏ ଏବଂ ସେଗୁଡ଼ିକର ସମାଧାନର ବାଟ ବାହାର କରାଯାଏ।
ଆଇନ ଅଧିକାରୀଙ୍କ ଫିସ୍ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ରାଜ୍ୟରେ ନାୟିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଯେଉଁ ୧୦ଟି ଜିଲ୍ଲାରେ ଜିଲ୍ଲା ଅଦାଲତ ଭଡ଼ା ଭବନରେ ଚାଲୁଥିଲା, ସେଠାରେ ଇଣ୍ଟିଗ୍ରେଟେଡ୍ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଥିରେ ଜୁଡିସିଆଲ୍ ଅଫିସରମାନଙ୍କ ବାସଭବନ ସହ ଓକିଲମାନଙ୍କ ଚାମ୍ବର, କ୍ରୀଡ଼ା ସୁବିଧା, ଇନଡୋର ଷ୍ଟାଡିୟମ୍ ଏବଂ ଆଇନଜୀବୀଙ୍କ ପାଇଁ ସସାଧାରଣ କ୍ୟାଣ୍ଟିନ୍ ବ୍ୟବସ୍ଥା ମଧ୍ୟ କରାଯାଉଛି। ତ୍ୱରିତ ନିଷ୍ପତ୍ତି ପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସ୍ତରରେ ୯୦୦ ଅଦାଲତ ଗଠନକୁ ମଞ୍ଜୁରୀ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଜିଲ୍ଲା ଅଦାଲତ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ଆଇନ ଅଧିକାରୀଙ୍କ ଫିସ୍ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। ଏବେ ୪୦୦ ରାଜ୍ୟ ଆଇନ ଅଧିକାରୀଙ୍କୁ ଟ୍ୟାବଲେଟ୍ ମଧ୍ୟ ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ଶାସନ ସହ ଜଡ଼ିତ କୋର୍ଟ ମାମଲାଗୁଡ଼ିକର ସୂଚନା ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପାଇପାରିବେ।
ଫ୍ୟୁଚର ରେଡି ବାରରୁ ତିଆରି ହେବ ଫ୍ୟୁଚର ରେଡି ଜଷ୍ଟିସ ସିଷ୍ଟମ୍
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ତିନୋଟି ନୂଆ ଆଇନକୁ ଦ୍ରୁତ ଗତିରେ ଆପଣାଇବାରେ ଆଇନଜୀବୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାଇବର କ୍ରାଇମ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ପ୍ରାଇଭେସି, ଡିଜିଟାଲ୍ କମର୍ସ, ଫିନଟେକ୍, ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଏବଂ କ୍ଲାଇମେଟ୍ ଲିଟିଗେସନ୍ ଭଳି ନୂଆ କ୍ଷେତ୍ରଗୁଡ଼ିକ ପାଇଁ ଆଇନଜୀବୀମାନଙ୍କୁ ନିଜକୁ ଅପଡେଟ୍ କରିବାକୁ ହେବ। ପ୍ରଯୁକ୍ତିବିଦ୍ୟା, ଅର୍ଥବ୍ୟବସ୍ଥା ଏବଂ ସମାଜରେ ହେଉଥିବା ପରିବର୍ତ୍ତନଗୁଡ଼ିକର ଗଭୀର ବୁଝାମଣା ଆଜିର ଆବଶ୍ୟକତା। ଫ୍ୟୁଚର ରେଡି ବାର୍ ହିଁ ଫ୍ୟୁଚର ରେଡି ଜଷ୍ଟିସ ସିଷ୍ଟମ୍ର ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନ କରିବ।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ନ୍ୟାୟ ବ୍ୟବସ୍ଥାର ସବୁଠାରୁ ବଡ଼ ଶକ୍ତି ହେଉଛି ସାଧାରଣ ଲୋକଙ୍କ ବିଶ୍ୱାସ ଏବଂ ଏହାର ପ୍ରଥମ ସର୍ତ୍ତ ହେଉଛି ସମୟସୀମା ମଧ୍ୟରେ ନ୍ୟାୟ ପ୍ରଦାନ। ନାଗରିକଙ୍କର ଭରସା ରହିବା ଉଚିତ ଯେ ସେମାନଙ୍କର ନିରପେକ୍ଷ ଶୁଣାଣି ହେବ, ସେମାନଙ୍କ ସହ କୌଣସି ପ୍ରକାର ଭେଦଭାବ ହେବନାହିଁ ଏବଂ ଆଇନ ଆଖିରେ ସମସ୍ତେ ସମାନ। ସ୍ୱଚ୍ଛତା, ନିଷ୍ପତ୍ତିରେ ସଦ୍ଭାବନା, ଅନୁଷ୍ଠାନଗୁଡ଼ିକର ଜବାବଦିହିତା ଏବଂ ନାଗରିକଙ୍କ ବିଶ୍ୱାସ ଏକ ସଶକ୍ତ ନ୍ୟାୟ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଜରୁରୀ।
ହାଇସ୍ପିଡ୍ ଇଣ୍ଟରନେଟ୍ ସହ ଯୋଡ଼ିହେବେ କୋର୍ଟ
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଜିଲ୍ଲା ଅଦାଲତ ଏବଂ ଜେଲଗୁଡ଼ିକୁ ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ଭିଡିଓ କନଫରେନ୍ସିଂ ସୁବିଧା ସହ ଯୋଡ଼ାଯାଇଛି। 'ନ୍ୟାୟ ଶ୍ରୁତି' ପ୍ରଣାଳୀ ମାଧ୍ୟମରେ ଅଦାଲତଗୁଡ଼ିକରେ ଭର୍ଚୁଆଲ୍ ସାକ୍ଷ୍ୟଗ୍ରହଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଅଦାଲତ ସମ୍ପର୍କିତ ଦଲିଲଗୁଡ଼ିକର ସ୍କାନିଂ ଏବଂ ଡିଜିଟାଇଜେସନ୍ କାର୍ଯ୍ୟକୁ ଦ୍ରୁତତର କରାଯାଇଛି। ପୋଲିସ ଏବଂ ଅଭିଯୋଗ ପକ୍ଷର ଉତ୍ତମ ସମନ୍ୱୟ ସହିତ ଅଭିଯୋଗ ପ୍ରଣାଳୀକୁ ଅନଲାଇନ୍ ପ୍ଲାଟଫର୍ମ ସହ ଯୋଡ଼ାଯାଇଛି, ଯାହାଦ୍ୱାରା ଚାର୍ଜସିଟ୍ ଏବଂ ବୈଜ୍ଞାନିକ ପ୍ରମାଣ ସମୟସୀମା ମଧ୍ୟରେ ଅଦାଲତରେ ଉପସ୍ଥାପନ କରାଯାଇପାରିବ।