ଇମ୍ଫାଲ୍: ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ହିଂସା ଏବେ ବି ଥମିବାର ନାଁ ନେଉନାହିଁ। ରାଜ୍ୟର ତାମେଙ୍ଗଲଂ ଏବଂ ନୋନି ଜିଲ୍ଲାରେ ରବିବାର ଦୁଇଟି ଅଲଗା ଅଲଗା ସନ୍ଦିଗ୍ଧ ଉଗ୍ରବାଦୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ସମେତ ଅତିକମରେ ଚାରି ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ଏବଂ ସୁରକ୍ଷା ବାହିନୀକୁ କଡ଼ା କଡ଼ି କରାଯାଇଛି।
ସ୍ଥାନୀୟ ପୁଲିସର ସୂଚନା ମୁତାବକ, ତାମେଙ୍ଗଲଂ ଜିଲ୍ଲାରେ ପ୍ରଥମ ଉଗ୍ରବାଦୀ ଆକ୍ରମଣ ରବିବାର ଭୋର ପ୍ରାୟ ୪ଟା ସମୟରେ ଘଟିଥିଲା, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରାୟ ୧୨ ଘଣ୍ଟା ପରେ ଅନ୍ୟ ଏକ ସ୍ଥାନରେ ଦ୍ୱିତୀୟ ଆକ୍ରମଣ ଘଟିଥିଲା ଏବଂ ସେଥିରେ ମଧ୍ୟ ଆଉ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି।
ପିଟିଆଇର ରିପୋର୍ଟ ଅନୁଯାୟୀ, ଇମ୍ଫାଲକୁ ଜିରିବାମ ସହ ସଂଯୋଗ କରୁଥିବା ଜାତୀୟ ରାଜପଥ-୩୭ ନିକଟବର୍ତ୍ତୀ ଟୋଲେନ୍ କୁକି ଗ୍ରାମରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଏକ ଘର ଉପରେ ହଠାତ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲିଙ୍ଗନଗାଇ ସିଙ୍ଗସିଟ୍ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ସେଇନୈହ ସିଙ୍ଗସିଟ୍ ଏବଂ ସେମାନଙ୍କର ନବଜାତ ଶିଶୁ ଗୁରୁତର ଆହତ ହୋଇଥିଲେ। ପରେ ସୁରକ୍ଷା କର୍ମୀମାନେ ଗ୍ରାମରେ ପହଞ୍ଚି ଆହତଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଯୋଗାଇ ଦେଇଥିଲେ। କିନ୍ତୁ ଆସାମର ସିଲଚର ନେଇଯିବା ସମୟରେ ରାସ୍ତାରେ ସେଇନୈହଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
ଅନ୍ୟ ଏକ ଘଟଣାରେ, ନୋଙ୍ଗବା ପୁଲିସ ଷ୍ଟାଣ୍ଡ୍ ଅନ୍ତର୍ଗତ ଲଙ୍ଗପୀ ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୩:୩୦ ମିନିଟ୍ ସମୟରେ ସଶସ୍ତ୍ର ଉଗ୍ରବାଦୀମାନେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନିହତ ବ୍ୟକ୍ତିମାନେ ଜୁଲି ଗଙ୍ଗଟେ ଏବଂ ଆର. ଗଙ୍ଗଟେ ବୋଲି ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଛି।
ମଣିପୁରରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଖେମଚନ୍ଦ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନିରୀହ ନାଗରିକମାନଙ୍କ ବିରୁଦ୍ଧରେ ଏପରି ହିଂସାତ୍ମକ ଆଚରଣ ସମ୍ପୂର୍ଣ୍ଣ କାପୁରୁଷୋଚିତ ଅଟେ। ଏହିପରି ଘୃଣ୍ୟ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ଆମ ସମାଜରେ ଏହାର କୌଣସି ସ୍ଥାନ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।