ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡିରେ ସୋମବାର ସନ୍ଧ୍ୟାରେ ବୋମାମାଡ଼କୁ ନେଇ ଭୟଙ୍କର ଆତଙ୍କ ସୃଷ୍ଟି ହୋଇଛି। ୫ଟି ବାଇକରେ ଆସିଥିବା କିଛି ଦୁର୍ବୃତ୍ତ ସାହି ଭିତରେ ପଶି ପ୍ରାୟ ୪ଟି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି।
ବୋମା ବିସ୍ଫୋରଣ ପରେ ଦୁର୍ବୃତ୍ତମାନେ ବାଇକରେ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକେ ସାହସ ଦେଖାଇ ସେମାନଙ୍କ ପଛରେ ଗୋଡ଼ାଇ ପଥରମାଡ଼ କରିଥିଲେ। ଏଥିରେ ୨ ଜଣ ଦୁର୍ବୃତ୍ତ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ଉଭୟଙ୍କୁ କାବୁ କରି ଦଉଡ଼ିରେ ବାନ୍ଧି ରଖିଥିଲେ।
ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲା। ତେବେ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ତେଜନା ଥିଲା ଯେ ପୋଲିସ ଗାଡ଼ି ଉପରକୁ ମଧ୍ୟ ପଥରମାଡ଼ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତକାଲି କୁକୁଡ଼ାଖଣ୍ଡି ମୁଖ୍ୟ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସେ ସାମାନ୍ୟ ଆହତ ହୋଇଥିଲେ। ସେହି ଘଟଣାକୁ କେନ୍ଦ୍ର କରି ସାହିରେ ତିବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ପୁଣି ଦୁର୍ବୃତ୍ତମାନେ ବୋମାମାଡ଼ କରି ଆତଙ୍କ ଖେଳାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଘଟଣାସ୍ଥଳରୁ ବିସ୍ଫୋରକର ଅବଶେଷ ଜବତ କରିଥିବା ବେଳେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଓ ଚଢ଼ାଉ ଜାରି ରଖିଛି।