ଭୁବନେଶ୍ୱର : ଆଜି ପାଳନ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ପିଠାପଣା, ନୂଆ ଲୁଗା ଓ ଉତ୍ସବର ମାହୋଲ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ମାଟି, ଚାଷୀ ଓ ସଂସ୍କୃତି ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଏକ ଭାବନା ଅଟେ । ଅମଳ ହୋଇଥିବା ନୂଆ ଫସଲକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ଆରମ୍ଭ ହୁଏ ଏହି ମହାନ ପରମ୍ପରା । ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ । ଏହାପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ ।
ସେହିପରି କଳାହାଣ୍ଡିର ମା ମାଣିକେଶ୍ଵରୀ , ବଲାଙ୍ଗୀରର ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ ଏବଂ ସୋନପୁରର ମା’ ସୁରେଶ୍ବରୀଙ୍କ ଠାରେ ନୂଆଁ ଲାଗି ହେବ । ନୂଆଁ ଧାନରୁ ପ୍ରସ୍ତୁତ ଭୋଗ ଇଷ୍ଟଦେବୀଙ୍କୁ ଅର୍ପଣ ପରେ ବ୍ୟଞ୍ଜନକୁ ଖଲିପତ୍ରରେ ପରସା ଯାଇଥାଏ। ସମସ୍ତେ ଖାଇସାରିଲା ପରେ ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ଏହି ସମୟରେ ନିଜ ଭିତରେ ପୂର୍ବରୁ ଥିବା ମତଭେଦ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦକୁ ମଧ୍ୟ ନୂଆଁଖାଇ ଦୂରେଇ ଦେଇଥାଏ।
ଭେଟଘାଟରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଓ ବଜାଶାଲ ନୃତ୍ୟ ସହ ଘୁଡୁକା ,ରସର୍କଲି, ଡାଲଖାଇ, ମାଏଲାଜଡ଼, ଚୁଟୁକୁଚୁଟା ଓ ଢାପ୍ ଗୀତର ତାଳେ ତାଳେ ମତୁଆଲା ହେବେ ଆଜି ସମଗ୍ର ପଶ୍ଚିମ ଓଡ଼ିଶାବାସୀ।