କପ୍ତିପଦା: ଘରେ କେହି ନଥିବା ସୁଯୋଗରେ ଦୁର୍ବୃତ୍ତଙ୍କ ବଡ଼ କଳାକନା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପିଙ୍ଗୁ ଗାଁରେ ଏକ ଘରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଦେଢ଼ ଲକ୍ଷ ଟଙ୍କା ନଗଦ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ପିଙ୍ଗୁ ଗ୍ରାମର ଶ୍ୟାମ ସୁନ୍ଦର ବେହେରା ପରିବାର ସହ ଶ୍ୱଶୁର ଘରକୁ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ଘର ଖାଲି ଥିବାର ସୁଯୋଗ ନେଇ ଲୁଟେରାମାନେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ।
ଦୁର୍ବୃତ୍ତମାନେ କେବଳ ଗୋଟିଏ ରୁମ ନୁହେଁ, ବରଂ ଘରର ସମସ୍ତ କୋଠରୀର ତାଲା ଭାଙ୍ଗି ତନଖି କରିଥିଲେ। ଏପରେ ଶାବଳ ସହାୟତାରେ ଘରେ ଥିବା ୩ଟି ଗଡ଼ରେଜ ଆଲମିରା ତାଡ଼ି ସେଥିରେ ରଖାଯାଇଥିବା ସୁନା ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ।
ପରିବାର ସଦସ୍ୟମାନେ ଘରକୁ ଫେରିବା ପରେ ମୁଖ୍ୟ ଗେଟର ତାଲା ଭଙ୍ଗା ଦେଖି ସନ୍ଦେହ କରିଥିଲେ। ଭିତରକୁ ପଶିବା ପରେ ସବୁ ରୁମ ଅସଜଡ଼ା ଅବସ୍ଥାରେ ଥିବା ସହ ଆଲମିରା ଭଙ୍ଗା ଦେଖି ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଶ୍ୟାମ ସୁନ୍ଦର ବେହେରାଙ୍କ କହିବା ଅନୁଯାୟୀ, ଲୁଟ ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ପ୍ରାୟ ୧.୫ ଲକ୍ଷ ଟଙ୍କା ନଗଦ ମଧ୍ୟ ଗାଏବ ରହିଛି।
ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଫିଙ୍ଗର ପ୍ରିଣ୍ଟ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରୁଛି। ଜନବସତି ମଧ୍ୟରେ ଦିନଦ୍ୱିପ୍ରହରରେ ଏଭଳି ସଂଘବଦ୍ଧ ଲୁଟ ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ମଧ୍ୟରେ ଠିଆ କରିଛି।