ଦାରିଙ୍ଗବାଡ଼ି: ଭଙ୍ଗା କାଚା ଘର, ଅଭାବର ସଂସାର, ପିନ୍ଧିବାକୁ ଭଲ ପୋଷାକ ନାହିଁ, ଦୁଇ ଓଳି ଭାତ ପାଇଁ ସଂଘର୍ଷ। ଏମିତି ପରିସ୍ଥିତିରେ ବି ଶିକ୍ଷାକୁ ଅସ୍ତ୍ର କରି ଇତିହାସ ରଚିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସିକବାଡ଼ି ଗାଁର ଏକ ଆଦିବାସୀ ପରିବାର। ଏହି ପରିବାରର ଏକା ସାଙ୍ଗରେ ୫ ଜଣ ଭାଇ-ଭଉଣୀ ନିଟ୍ ପାସ୍ କରି ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିବା ପଥରେ ଆଗେଇଛନ୍ତି। ଆଜି ଏହି କାହାଣୀ ସାରା କନ୍ଧମାଳ ପାଇଁ ପ୍ରେରଣା ପାଲଟିଛି।
ସିକବାଡ଼ି ଗାଁର ବୁର୍ସୀ ପ୍ରଧାନ ଓ ଅନୁସୂୟା ପ୍ରଧାନଙ୍କର ସାତ ସନ୍ତାନ। ଦାରିଦ୍ର୍ୟ ଏତେ ଗଭୀର ଥିଲା ଯେ, ଘରର ଛାତ ମରାମତି କରିବାକୁ ମଧ୍ୟ ସାମର୍ଥ୍ୟ ନଥିଲା। କିନ୍ତୁ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ବୁର୍ସୀ ଗାଁ ଛାଡ଼ି କେରଳକୁ ଦିନମଜୁରି କରିବାକୁ ଯାଇଥିଲେ। ସେଠାରେ ଯେତିକି ରୋଜଗାର କରୁଥିଲେ, ତାହାର ପ୍ରାୟ ସବୁଟିଏ ପିଲାଙ୍କ ପଢ଼ାରେ ଖର୍ଚ୍ଚ କରୁଥିଲେ।
ଚାରି ବର୍ଷ ପୂର୍ବେ ବଡ଼ ପୁଅ ବିଭୀଷଣ ପ୍ରଧାନ ପ୍ରଥମେ ନିଟ୍ ପରୀକ୍ଷାରେ ସଫଳତା ପାଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏମ୍ବିବିଏସ୍ରେ ନାମ ଲେଖାଇଥିଲେ। ବର୍ତ୍ତମାନ ସେ ଇଣ୍ଟର୍ନଶିପ କରୁଛନ୍ତି। ତାଙ୍କ ସାନ ଭଉଣୀ ମୋନାଲିସା ପ୍ରଧାନ ଗତବର୍ଷ ନିଟ୍ ପାସ୍ କରି ସେହି ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ।
ଚଳିତ ବର୍ଷ ପୁଣି ଏହି ପରିବାରର ସୁନେମୀ ପ୍ରଧାନ ଓ ଏସରିୟ ପ୍ରଧାନ ମଧ୍ୟ ନିଟ୍ରେ ସଫଳତା ପାଇ ମେଡିକାଲ ଶିକ୍ଷାରେ ପ୍ରବେଶ କରିଛନ୍ତି। ଏହା ସହ ବୁର୍ସୀଙ୍କ ସାନ ଭାଇ ଜିସାୟ ପ୍ରଧାନଙ୍କ ଝିଅ ମୀନାକ୍ଷୀ ପ୍ରଧାନ ମଧ୍ୟ ନିଟ୍ କ୍ରାକ୍ କରିଛନ୍ତି। ଫଳରେ ଏକା ପରିବାରର ୫ ଜଣ ସଦସ୍ୟ ଡାକ୍ତର ହେବାର ଯାତ୍ରା ଆରମ୍ଭ କରିଛନ୍ତି।
ଏହି ସଫଳତା ପଛରେ ରହିଛି ଅକୁହା ତ୍ୟାଗର କାହାଣୀ। ପିଲାମାନେ ଛୁଟିରେ ଘରକୁ ଆସିଲେ ବହି ଧରିବା ସହ ଗାଈ ଚରାନ୍ତି, କ୍ଷେତରେ ବାପା-ମା’ଙ୍କୁ ସାହାଯ୍ୟ କରନ୍ତି। ପରିବାରର ମୁଖ୍ୟ ଆୟ ମକା ଓ ହଳଦୀ ଚାଷରୁ ଆସେ। ସେହି ସାମାନ୍ୟ ରୋଜଗାରରେ ଘର ଚଳିବା ସହ ପିଲାଙ୍କ ପଢ଼ା ମଧ୍ୟ ଚାଲିଛି।
ଘରର ଅବସ୍ଥା ଆଜି ବି ବଦଳିନାହିଁ। ବହୁ ଦିନ ପର୍ଯ୍ୟନ୍ତ ବାପା-ମା’ ପଖାଳ, ଲୁଣ, କଞ୍ଚାଲଙ୍କା ଓ ପିଆଜ ଖାଇ ଦିନ କାଟିଛନ୍ତି, କିନ୍ତୁ ପିଲାଙ୍କ ଶିକ୍ଷାରେ କେବେ ଅଭାବ ଆସିବାକୁ ଦେଇନାହାନ୍ତି। ନାମଲେଖା ଫି’ ଯୋଗାଡ଼ କରିବାକୁ ବଳଦ ଓ ଛେଳି ପର୍ଯ୍ୟନ୍ତ ବିକ୍ରି କରିବାକୁ ପଡ଼ିଥିଲା।
ବର୍ତ୍ତମାନ ବୁର୍ସୀ ପ୍ରଧାନଙ୍କ ବୟସ ୭୦ ବର୍ଷରୁ ଅଧିକ। ପୂର୍ବଭଳି କାମ କରିପାରୁନାହାନ୍ତି, ତଥାପି ପିଲାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ କେମିତି ବହନ ହେବ ସେହି ଚିନ୍ତା ତାଙ୍କୁ ଘାରିଛି। ତେବେ ପରିବାରର ୫ ଜଣ ଡାକ୍ତର ହେବାକୁ ଯାଉଥିବାର ଖୁସି ସବୁ କଷ୍ଟକୁ ମାତ୍ ଦେଇଛି। ଦାରିଙ୍ଗବାଡ଼ି ପରି ପଛୁଆ ଅଞ୍ଚଳର ଏହି ଗରିବ ଆଦିବାସୀ ପରିବାର ପ୍ରମାଣ କରିଛି, ଅଭାବ ସ୍ୱପ୍ନକୁ ଅଟକାଇ ପାରେନି, ଯଦି ସାଥିରେ ଥାଏ ଶିକ୍ଷା, ପରିଶ୍ରମ ଓ ବାପା-ମା’ଙ୍କ ତ୍ୟାଗ।