ନୂଆଦିଲ୍ଲୀ: ସୀମାରେ ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି । ଲସ୍କର ଆତଙ୍କୀ ସଂଗଠନ ମୁସା ଗ୍ରୁପର ସଦସ୍ୟ ୟାସିର ସୁରକ୍ଷାବାହିନୀ ଗୁଳିରେ ନିପାତ ହୋଇଛି । ସେ ପୂର୍ବରୁ ମୁସା ଗ୍ରୁପର ସଦସ୍ୟ ଥିବାବେଳେ ବିଗତ ଏକ ବର୍ଷ ହେବ ଅଲଗା ହୋଇ ଅଲଗା ସଂଗଠନ ପାଇଁ କାମ କରୁଛି ।
ଶନିବାର ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ୟୁସମାର୍ଗରେ ଏକ ମିଳିତ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ଅପରେସନ୍ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ୍ ସାମିଲ ଥିଲେ । ସୁରକ୍ଷା ବାହିନୀ ୟାସିରକୁ ଘେରି ଯାଇଥିଲେ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା । ମାତ୍ର ୟାସିର ସୁରକ୍ଷାକର୍ମୀଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିନଥିଲା । ଶେଷରେ ୟାସିର ଟଳି ପଡ଼ିଥିଲା ।
ୟାସିର ବର୍ଷେ ହେବ ମୁସା ଗ୍ରୁପରୁ ଅଲଗା ହୋଇ ୟୁସମାର୍ଗରେ ଲସ୍କରର ଏକ ମୁଖ୍ୟ କମାଣ୍ଡର୍ ଭାବେ କାର୍ଯ୍ୟ କରୁଥିଲା । ୟାସିର ଅନ୍ୟ ନେଟୱାର୍କ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି । ଗତକାଲି ମଧ୍ୟ ବଡ଼ଗାମ ଜିଲ୍ଲାରେ ଏକ ଆତଙ୍କବାଦୀକୁ ନିପାତ କରାଯାଇଥିଲା । ସେ ପାକିସ୍ତାନୀ ନାଗରିକ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଅଟେ । ସେଠାରେ ଆହୁରି ଜଣେ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସେନା ପୁଞ୍ଚର ଅସଦର ଗାଲିରୁ ୟୁସମାର୍ଗ ଦେଇ ପୁଲୱାମାର ପାଖେରପୋରା ଆଡକୁ ଯାଉଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀର ଗତିବିଧି ଉପରେ ନଜର ରଖିଥିଲା। ପୀର ପଞ୍ଜାଲ ପର୍ବତମାଳାର ଉଚ୍ଚ ପର୍ବତ ଘାଟି ଦେଇ ଗତି କରୁଥିବା ଏହି ଗୋଷ୍ଠୀର ଗତିବିଧି ଉପରେ ସେନା ନଜର ରଖିଥିଲା। ପରବର୍ତ୍ତୀ ସମୟରେ, ସେପ୍ଟେମ୍ବର ୧ ତାରିଖରେ ଏହି ଅଞ୍ଚଳରେ ଏକ ଘେରାବନ୍ଦୀ କରାଯାଇଥିଲା । ସେପ୍ଟେମ୍ବର ୩ ତାରିଖରେ, ସୁରକ୍ଷା ବାହିନୀ ଅସଦର ଗାଲିରେ ଆତଙ୍କବାଦୀଙ୍କୁ ଠାବ କରିଥିଲେ ।