ମାଆଙ୍କ ଅନେକ ନାମ। କେହି ଡାକନ୍ତି ଜଗତଜନନୀ, କେହି ମହିଷାସୁରମର୍ଦ୍ଦିନୀ ତ ଆଉ କେହି ଦୁର୍ଗତିନାଶିନୀ। ହେଲେ ମାଆ ଦୁର୍ଗାଙ୍କ ନାମ ପଛରେ ରହିଛି କି ଏକ ପୌରାଣିକ ରହସ୍ୟ? କାହିଁକି ଦେବୀ ଭଗବତୀଙ୍କୁ ଦୁର୍ଗା ବୋଲି କୁହାଯାଏ? ପୁରାଣରେ ବର୍ଣ୍ଣିତ ଏକ କାହାଣୀ ଏହି ପ୍ରଶ୍ନର ଉତ୍ତର ଦେଇଥାଏ।
ପୌରାଣିକ କଥା ଅନୁସାରେ, ଦୁର୍ଗମ ନାମକ ଜଣେ ଅସୁର ନିଜ ତପସ୍ୟା ବଳରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିଥିଲା। ସେ ବର ପ୍ରଭାବରେ ବେଦଗୁଡ଼ିକୁ ନିଜ ଅଧୀନକୁ ନେଇଯିବା ପରେ ଦେବତାମାନଙ୍କ ଶକ୍ତି କ୍ଷୀଣ ହୋଇଯାଇଥିଲା। ଏହାର ଫାଇଦା ଉଠାଇ ଦୁର୍ଗମ ଅସୁର ସ୍ୱର୍ଗ ଉପରେ ଆଧିପତ୍ୟ ବିସ୍ତାର କରିବା ସହ ଦେବତାମାନଙ୍କୁ ନାନା ପ୍ରକାର ଯନ୍ତ୍ରଣା ଦେବାକୁ ଲାଗିଲା।
ଅସୁରର ଅତ୍ୟାଚାରରେ ଦେବଲୋକରେ ହାହାକାର ଖେଳିଗଲା। ଶେଷରେ ଦେବତାମାନେ ଏକାଠି ହୋଇ ଦେବୀ ଭଗବତୀଙ୍କୁ ଆବାହନ କଲେ। ସେମାନଙ୍କ ଦୁଃଖ ଶୁଣି ଦେବୀ ଅସୁରର ବିନାଶ କରିବାକୁ ଆଗେଇ ଆସିଥିଲେ।
ଦେବୀଙ୍କ ଏହି ନିଷ୍ପତ୍ତି ଜାଣିବା ପରେ ଦୁର୍ଗମ ଅସୁର ଆହୁରି ଉଗ୍ର ହୋଇଉଠିଥିଲା। ଏହାପରେ ଦେବୀ ଭଗବତୀ ଉଗ୍ର ରୂପ ଧାରଣ କରି ଅସୁର ସେନା ସହ ଯୁଦ୍ଧ କରିଥିଲେ। ଦୀର୍ଘ ସଂଘର୍ଷ ପରେ ଦେବୀ ଦୁର୍ଗମ ଅସୁରକୁ ବଧ କରିଥିଲେ। ଏହାଦ୍ୱାରା ଦେବତାମାନେ ଅସୁରର ଅତ୍ୟାଚାରରୁ ମୁକ୍ତି ପାଇଥିଲେ ଏବଂ ସୃଷ୍ଟିରେ ପୁଣି ଶାନ୍ତି ଫେରିଥିଲା।
ଏହି ପୌରାଣିକ ଆଖ୍ୟାନ ଅନୁସାରେ, ଦୁର୍ଗମ ଅସୁରର ସଂହାର କରିଥିବାରୁ ଦେବୀ ଭଗବତୀ ‘ଦୁର୍ଗା’ ନାମରେ ପରିଚିତ ହୋଇଥିଲେ। ସେହିପରି ଭକ୍ତଙ୍କ ଦୁର୍ଗତି ଦୂର କରୁଥିବାରୁ ତାଙ୍କୁ ଦୁର୍ଗତିନାଶିନୀ ବୋଲି ମଧ୍ୟ ସମ୍ବୋଧନ କରାଯାଏ।
ମାଆ ଦୁର୍ଗାଙ୍କ ଏହି କାହାଣୀ ଭକ୍ତଙ୍କୁ ଏକ ବିଶେଷ ବାର୍ତ୍ତା ଦିଏ, ଯେତେ ଶକ୍ତିଶାଳୀ ଅନ୍ୟାୟ ହେଉନା କାହିଁକି, ଶେଷରେ ସତ୍ୟ ଓ ନ୍ୟାୟର ହିଁ ବିଜୟ ହୁଏ।