ପୁରୀ: ଆଜି ଅକ୍ଟୋବର ୯। ଓଡ଼ିଆ ଜାତିର ଗର୍ବ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦରିଦ୍ର ନାରାୟଣଙ୍କ ସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ। ଏହି ଅବସରରେ ତାଙ୍କ ଜନ୍ମମାଟି ପୁରୀ ଜିଲ୍ଲାର ସୁଆଣ୍ଡୋ ଗାଁରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ସକାଳୁ ସକାଳୁ ଗାଁରେ ଲୋକଙ୍କ ଗହଳି ଜମିଥିବା ବେଳେ ମହାପୁରୁଷଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ମହାନ ଜୀବନ, ତ୍ୟାଗ ଓ ସମାଜସେବାର ସ୍ମୃତିଚାରଣ କରାଯାଉଛି। ଏହି ପବିତ୍ର ଦିନରେ ରାଜ୍ୟବାସୀ ଉତ୍କଳମଣିଙ୍କ ଆଦର୍ଶକୁ ମନେ ପକାଇବା ସହ ତାଙ୍କ ଦେଖାଇଥିବା ସେବା ଓ ମାନବିକତାର ମାର୍ଗକୁ ଅନୁସରଣ କରିବାର ସଂକଳ୍ପ ନେଉଛନ୍ତି।
୧୮୭୭ ମସିହା ଅକ୍ଟୋବର ୯ରେ ଜନ୍ମଗ୍ରହଣ କରିଥିବା ଗୋପବନ୍ଧୁ ଦାସ ଓଡ଼ିଶାର ସମାଜ ସଂସ୍କାର, ଶିକ୍ଷାର ପ୍ରସାର ଏବଂ ଦେଶସେବା କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଥିଲେ। ଶିକ୍ଷାକୁ ନୂଆ ଦିଗ ଦେବା ପାଇଁ ସେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସମାଜର ଗରିବ, ଅସହାୟ ଓ ଅବହେଳିତ ଲୋକଙ୍କ ସେବାକୁ ସେ ନିଜ ଜୀବନର ମୂଳମନ୍ତ୍ର କରିଥିଲେ।
ତାଙ୍କର ଅମର ପଂକ୍ତି ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଆଜି ବି ଓଡ଼ିଆଙ୍କ ମନରେ ଦେଶପ୍ରେମ ଓ ଜନସେବାର ଭାବନା ଜାଗ୍ରତ କରେ।
ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀ ଅଞ୍ଚଳରେ ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳିଛି। ଶିକ୍ଷାବିତ୍, ସମାଜସେବୀ, ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ସମେତ ବିଭିନ୍ନ ବର୍ଗର ଲୋକ ସୁଆଣ୍ଡୋରେ ପହଞ୍ଚି ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନ ସହ ବିଧାନସଭା ପରିସରରେ ମଧ୍ୟ ତାଙ୍କୁ ସ୍ମରଣ କରାଯାଉଛି। ଉତ୍କଳମଣିଙ୍କ ଜୀବନ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ବରଂ ଓଡ଼ିଆ ଜାତି ପାଇଁ ସେବା, ତ୍ୟାଗ ଓ ମାନବିକତାର ଏକ ଅମର ପ୍ରେରଣା।