ଭୁବନେଶ୍ୱର: ଶେଷ ହୋଇଛି ଛାତ୍ର ସଂସଦ ନିର୍ବାଚନ । ବିଜୟ ମୁକୁଟ ପିନ୍ଧିଛନ୍ତି ବିଭିନ୍ନ ଛାତ୍ର ଦଳର ଛାତ୍ର ନେତା । ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ବିଜୟୀ ପ୍ରାର୍ଥୀମାନେ ଶପଥ ନେବେ ।
ଦୀର୍ଘ ଆଠ ବର୍ଷ ପରେ ଗତକାଲି ଅନୁଷ୍ଠିତ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ନୂତନ ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବାରୁ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜ୍ୟର ଅଧିକାଂଶ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସମର୍ଥିତ ପ୍ରାର୍ଥୀ ବିଜୟ ହାସଲ କରିଥିବାବେଳେ ବିଜୁ ଛାତ୍ର ଜନତା ଦଳ ମଧ୍ୟ ବିପୁଳ ପରିମାଣରେ ବିଜୟ ହାସଲ କରିଛି । ରାଜ୍ୟର ପ୍ରମୁଖ ବିଶ୍ୱ ବିଦ୍ୟାଳୟରେ ଅତି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ରେଭେନ୍ସା ଓ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ସଭାପତି ପ୍ରାର୍ଥୀ ବିଶ୍ୱଜିତ ସାହୁ ଓ ସୋନାଲି ବେହେରା ଯଥାକ୍ରମେ ବାଜିମାତ କରିନେଇଛନ୍ତି ।
ଆଗାମୀ ଭବିଷ୍ୟତର ରାଜନେତା ତିଆରି କରୁଥିବା ବାଣୀ ବିହାର ବିଶ୍ୱବିଦ୍ୟାଳୟରେ ଏବିଭିପି ଭୋଟ୍ ପୋଛି ନେଇଛି । ବାଣୀବିହାରରେ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏବିଭିପି ସଭାପତି ପ୍ରାର୍ଥୀ କୀର୍ତ୍ତିବନ୍ତ ରଣା ଓ ସମ୍ପାଦକ ରୋଜାଲିନ ମହାନ୍ତି ବିଜୟୀ ମୁକୁଟ ପିନ୍ଧିଛନ୍ତି ।