କଟକ: ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଗରେ ରହିଥିବାବେଳେ ବିଜୁ ଛାତ୍ର ଜନତା ଦଳ ଦ୍ୱିତୀୟରେ ରହିଛି । ତେବେ ଛାତ୍ର କଂଗ୍ରେସର ଅତ୍ୟନ୍ତ ଶୋଚନୀୟ ରହିଛି । ବିଶ୍ୱ ବିଦ୍ୟାଳୟ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।
ରାଜ୍ୟର ଦୁଇଟି ପ୍ରମୁଖ ବିଶ୍ୱ ବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି । କଟକ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ସଭାପତି ପ୍ରାର୍ଥୀ ବିଜୟୀଲାଭ କରିଛନ୍ତି । କଟକ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ବିସିଜେଡି କବଜା କରିଛି । ବିସିଜେଡି ସଭାପତି ପ୍ରାର୍ଥୀ ବିଶ୍ୱଜିତ ସାହୁ, ଏବିଭିପି ପ୍ରାର୍ଥୀ ଅରବିନ୍ଦ ରଥଙ୍କୁ ପରାସ୍ତ କରିଛନ୍ତି । ସେହିପରି ରମାଦେବୀ ଅନେକ ଆରୋପ ପ୍ରତ୍ୟାରୋପ ପରେ ବିସିଜେଡ଼ି ପ୍ରାର୍ଥୀନୀ ସୋନାଲି ବେହେରା ଶେଷରେ ବିଜୟୀ ହୋଇଛନ୍ତି । ସେ ଏବିଭିପି ପ୍ରାର୍ଥୀଙ୍କୁ ହରାଇଛନ୍ତି । ତେବେ ଆନୁଷ୍ଠାନିକ ଭାବେ କୌଣସି ବିଶ୍ୱବିଦ୍ୟାଳୟ ଫଳାଫଳ ଘୋଷଣା କରିଛନ୍ତି ।
ସେପଟେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଏବିଭିପି ସଭାପତି ପ୍ରାର୍ଥୀ କୀର୍ତ୍ତିବନ୍ତ ରଣା ଓ ସମ୍ପାଦକ ରୋଜାଲିନ ମହାନ୍ତି ବିଜୟୀ ମୁକୁଟ ପିନ୍ଧିଛନ୍ତି ।
କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀ ପ୍ରଜ୍ଞା ପରମିତା ନାୟକ ସଭାପତି ପଦରେ ବିଜୟୀ ହୋଇଛନ୍ତି ।
ସେହିପରି ଭୁବନେଶ୍ୱର ବକ୍ସି ଜଗବନ୍ଧୁ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଏବିଭିପି ଆସନ ପୋଛି ନେଇଛି । ଆର୍ଯ୍ୟନ ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜଧାନୀ କଲେଜରେ ଅବିନାଶ ପାଢ଼ୀ ସଭାପତି ଭାବେ ବିଜୟୀ ହୋଇଛନ୍ତି।