ପାକିସ୍ତାନରେ ବଡ଼ ଅଘଟଣ। ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୨୮ ଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୩ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଗୁରୁବାର ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେଶାୱାରରେ ଥିବା ଏକ ଘରୋଇ ସ୍କୁଲରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ, ଅଲ୍-ଖୈର ଏଜୁକେସନ୍ ସେଣ୍ଟରରେ ପିଲାମାନେ ପାଠ ପଢ଼ୁଥିବା ସମୟରେ ଉପର ମହଲାର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୁଇଟି ମହଲା ଭାଙ୍ଗିପଡ଼ିବା ସହ ଅନେକ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଖବର ପାଇ ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ଅତି କମରେ ୪୫ ଜଣ ପିଲାଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପେଶାୱାର ପୋଲିସ ମୁଖ୍ୟଙ୍କ କହିବା ଅନୁସାରେ, ଦୁର୍ଘଟଣା ସମୟରେ ତିନୋଟି ଶ୍ରେଣୀଗୃହରେ ୧୧୦ ଜଣ ଛାତ୍ର ଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।
ଦୁର୍ବଳ ନିର୍ମାଣ ଏବଂ ଛାତ ଉପରେ ଅଧିକ ନିର୍ମାଣ ଭାର ଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୋଲିସ ମୁଖ୍ୟ କହିଛନ୍ତି। ଘଟଣାର କାରଣ ଜାଣିବାକୁ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।