ଭୁବନେଶ୍ୱର: ମୁକ୍ତ ବାଣିଜ୍ୟ ରାଜିନାମା (Free Trade Agreement - FTA) ମାଧ୍ୟମରେ ଓଡ଼ିଶାର ଉତ୍ପାଦଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଆରମ୍ଭ କରିଛନ୍ତି। ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶାର ପ୍ରଭାବ ବିସ୍ତାର କରିବା ସହ ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଗୁଡ଼ିକର ରପ୍ତାନି ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।
‘ଏଫ୍ଟିଏର ଉପଯୋଗ – ଜନସମ୍ପର୍କ କାର୍ଯ୍ୟକ୍ରମ’ ଶୀର୍ଷକ ଏହି କର୍ମଶାଳାରେ ନୀତି ନିର୍ଦ୍ଧାରକ, ବାଣିଜ୍ୟ ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ଉଦ୍ୟୋଗୀମାନେ ଯୋଗଦେଇ ଭାରତର ବିଭିନ୍ନ ମୁକ୍ତ ବାଣିଜ୍ୟ ରାଜିନାମାରେ ଓଡ଼ିଶାର ରପ୍ତାନି ସମ୍ଭାବନା ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ କରିଛନ୍ତି।
ସିଧାସଳଖ ଲାଭ ପାଇବେ ରାଜ୍ୟର ଉଦ୍ୟୋଗୀ:
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଭାରତର ବାଣିଜ୍ୟିକ ଚୁକ୍ତିନାମାଗୁଡ଼ିକରୁ ମିଳୁଥିବା ସୁଯୋଗକୁ ରାଜ୍ୟର ଶିଳ୍ପ ଓ ଉଦ୍ୟୋଗୀମାନଙ୍କ ପାଇଁ ବାସ୍ତବ ଲାଭରେ ପରିଣତ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସମ୍ପ୍ରସାରଣ ଦୃଷ୍ଟିକୋଣକୁ ଆଧାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନିଜର ଶିଳ୍ପଗତ କ୍ଷମତାର ଉପଯୋଗ, ଉଦ୍ୟୋଗ ବିକାଶ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳାରେ ନିଜର ସ୍ଥିତି ସୁଦୃଢ଼ କରିବାକୁ କାର୍ଯ୍ୟ କରୁଛି। ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ ନରୱଣେ ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ନୂଆ ରପ୍ତାନି ବାସ୍କେଟ୍ ଓ ନିଯୁକ୍ତି ସୁଯୋଗ:
ଏହି କର୍ମଶାଳାରେ କେବଳ ଇସ୍ପାତ ଉପରେ ନିର୍ଭର ନକରି ଓଡ଼ିଶାର ରପ୍ତାନି ବାସ୍କେଟକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି:
ଇଞ୍ଜିନିୟରିଂ ସାମଗ୍ରୀ ଓ ସ୍ପେୟାର ପାର୍ଟସ
କୃଷି, ସାମୁଦ୍ରିକ ଓ ରାସାୟନିକ ଉତ୍ପାଦ
ବୟନ, ହସ୍ତଶିଳ୍ପ, ରତ୍ନ, ଅଳଙ୍କାର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ଏହିସବୁ କ୍ଷେତ୍ରର ଅବ୍ୟବହୃତ ସମ୍ଭାବନାକୁ ବ୍ୟବହାର କରି ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବା ସହ ନୂଆ ନିବେଶ ଆକର୍ଷିତ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଅଧିବେଶନରେ MSME ବିଭାଗର ସଚିବ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଅଗ୍ରିମ କୌଶଲ ଭାରତର ବାଣିଜ୍ୟିକ ଚୁକ୍ତିନାମାଗୁଡ଼ିକର ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।