ଢେଙ୍କାନାଳ: ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଛି । ପ୍ରାର୍ଥୀ ନିଖୋଜ ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ପରିସ୍ଥିତିକୁ ଦେଖି କଲେଜ ଅଧ୍ୟକ୍ଷ ସାଇନ୍ ଏ ଡାଏ ଘୋଷଣା କରିଛନ୍ତି ।
ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଜଣେ ସଭାପତି ପ୍ରାର୍ଥୀ ଟୁନା ରାଉତ ନାମାଙ୍କନ ଦାଖଲ କରିଥିଲେ । ସଭାପତି ପଦ ପାଇଁ ରାଜେଶ ବେହେରା, ଟୁନା ରାଉତ ଓ ପ୍ରତିକ୍ଷା ଘୋଷ ପ୍ରତିଦ୍ବନ୍ଦିତା କରୁଥିବା ଵେଳେ ସାଧାରଣ ସଂପାଦକ ପଦବୀ ପାଇଁ ପାର୍ଥସାରଥୀ ସାମଲ ଓ ସୈାମେଶ ମହାନ୍ତି ରହିଛନ୍ତି । ଏଥିପାଇଁ ଟୁନା ରାଉତ ଜୋରଦାର ପ୍ରଚାର ମଧ୍ୟ କରିଥିଲେ । କିନ୍ତୁ ଗତ କିଛି ଦିନ ହେବ ଟୁନା ରାଉତ ନିଖୋଜ ଥିବା ନେଇ ଗୋଟିଏ ଗୋଷ୍ଠୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏମିତିକି ତାଙ୍କୁ ଆକ୍ରୋଶମୂଳକଭାବେ ଅପହରଣ କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଆଜି ସକାଳେ କିଛି ଛାତ୍ରଛାତ୍ରୀ କଲେଜରେ ପହଁଚି ହୋହାଲ୍ଲା କରିଥିଲେ । ଫଳରେ କଲେଜ କ୍ୟାମ୍ପସରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହା ପରେ କଲେଜ କର୍ତ୍ତୃପକ୍ଷ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ନେଇଥିଲେ । ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଲେଜ କର୍ତ୍ତୃପକ୍ଷ ସାଇନ୍ ଏ ଡାଏ ଘୋଷଣା କରିଥିଲେ ।
ସେପଟେ ଟୁନା ରାଉତ ଏକ ଭିଡ଼ିଓ ବାର୍ତ୍ତା ସୋସିଆଲ୍ ମିଡ଼ିଆରେ ଜାରି କରିଛନ୍ତି । ଟୁନା କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନରେ ଅଯଥା ରାଜନୀତିକରଣ କରାଯାଉଥିଲା । ଏହା ପରେ ତାଙ୍କ ପରିବାର ପକ୍ଷରୁ ନିର୍ବାଚନରୁ ଓହରିବାକୁ ଚାପ ପକାଯାଇଥିଲା । ଯେଉଁଥିପାଇଁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇଥିଲେ ଏବଂ ସେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିବା କହିଛନ୍ତି ।