ମୁମ୍ବାଇ: ବକ୍ସ ଅଫିସରେ ପୁଣି କମାଲ୍ କରୁଛି ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର୍ ‘ଦୃଶ୍ୟମ୍ ୩: ଦ କନକ୍ଲୁଜନ୍’। ସୋମବାର ଆୟରେ ବଡ଼ ହ୍ରାସ ପରେ ମଙ୍ଗଳବାର ଫିଲ୍ମଟି ଜବରଦସ୍ତ କମ୍ବ୍ୟାକ୍ କରିଛି। ଦ୍ୱିତୀୟ ମଙ୍ଗଳବାରରେ ଫିଲ୍ମର ଆୟରେ ୪୧ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟ ଅନୁସାରେ, ରିଲିଜ୍ର ଦ୍ୱାଦଶ ଦିନରେ ଫିଲ୍ମଟି ଭାରତରେ ୮.୫୦ କୋଟି ଟଙ୍କାର ନେଟ୍ ଆୟ କରିଛି। ଏହା ସହ ଫିଲ୍ମର ମୋଟ ଘରୋଇ ନେଟ୍ କଲେକ୍ସନ୍ ୩୨୩.୫୦ କୋଟି ଟଙ୍କାରେ ପହଞ୍ଚିଛି।
ବିଶ୍ୱବ୍ୟାପୀ ଆୟ ୫୦୦ କୋଟି ପାର୍
ବକ୍ସ ଅଫିସରେ ଫିଲ୍ମଟି ଆଉ ଏକ ବଡ଼ ମାଇଲଷ୍ଟୋନ୍ ହାସଲ କରିଛି। ରିପୋର୍ଟ ଅନୁଯାୟୀ, ଏହାର ବିଶ୍ୱବ୍ୟାପୀ ମୋଟ ଆୟ ୫୦୧.୮୦ କୋଟି ଟଙ୍କା ଅତିକ୍ରମ କରିଛି। ବିଦେଶୀ ବଜାରରୁ ୧୧୪ କୋଟି ଟଙ୍କାର ଗ୍ରସ୍ ଆୟ ହୋଇଥିବା ବେଳେ ଭାରତରେ ମୋଟ ଗ୍ରସ୍ କଲେକ୍ସନ୍ ୩୮୭.୮୦ କୋଟି ଟଙ୍କା ରହିଛି। ଏହି ସଫଳତା ସହ ‘ଦୃଶ୍ୟମ୍ ୩’ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ବୋଲି ରିପୋର୍ଟରେ ଦାବି କରାଯାଇଛି।
ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବୁ, ଶ୍ରିୟା ସରନ୍ ଓ ଜୟଦୀପ ଅହଲାୱତ୍ ନଜର ଆସିଛନ୍ତି। ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଓ ବିଦେଶୀ ବଜାରରେ ଭଲ ପ୍ରଦର୍ଶନ ଫିଲ୍ମର ଆୟକୁ ଆଗକୁ ବଢ଼ାଉଥିବା କୁହାଯାଉଛି। ତେବେ ବକ୍ସ ଅଫିସରେ ଏହି ଦମ୍ଦାର୍ ପ୍ରଦର୍ଶନ ଜାରି ରହିଲେ, ଫିଲ୍ମଟି ଆଗକୁ ଆଉ କେଉଁ ରେକର୍ଡ ଭାଙ୍ଗିବ, ତାହା ଉପରେ ରହିବ ସମସ୍ତଙ୍କ ନଜର।