ବଲିଉଡ୍ର କିଙ୍ଗ୍ ଖାନ୍ ଶାହରୁଖଙ୍କ ଆଗାମୀ ଫିଲ୍ମ ‘King’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମର ରିଲିଜ୍ ତାରିଖ ପାଖେଇ ଆସୁଥିବା ବେଳେ ଏହାର ଶେଷ ପର୍ଯ୍ୟାୟ ସୁଟିଂ ଜାରି ରହିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଆକ୍ସନ୍ ଥ୍ରିଲର୍ ଡିସେମ୍ବର ୨୪ରେ ପରଦାକୁ ଆସିବାକୁ ଯୋଜନା ରହିଛି। ଅନ୍ୟପଟେ, ନଭେମ୍ବର ୨ରେ ଶାହରୁଖଙ୍କ ଜନ୍ମଦିନ ଅବସରରେ ଫିଲ୍ମର ପ୍ରଥମ ଟିଜର୍ ରିଲିଜ୍ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୧ରୁ ମୁମ୍ବାଇର ଗୋରେଗାଓଁରେ ଫିଲ୍ମର ଶେଷ ସୁଟିଂ ସୂଚୀ ଆରମ୍ଭ ହୋଇଛି। ଅକ୍ଟୋବର ୧୨ରେ ଅନ୍ଧେରୀ ଇଷ୍ଟ୍ର ଏକ ଷ୍ଟୁଡିଓରେ ଶାହରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଆକ୍ସନ୍ ସିନ୍ଗୁଡ଼ିକର ସୁଟିଂ କରାଯାଇଥିବା କୁହାଯାଉଛି। ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଏହି ଆକ୍ସନ୍ ଦୃଶ୍ୟଗୁଡ଼ିକୁ ଶେଷ କରିବାକୁ ନିର୍ମାତା ଯୋଜନା କରିଛନ୍ତି।
ଏହାପରେ ଫିଲ୍ମରେ ଏକ ନୂଆ ଗୀତ ଯୋଡ଼ାଯାଇଥିବା ଖବର ମିଳିଛି। ଏହି ଗୀତରେ ଶାହରୁଖଙ୍କ ଝିଅ ସୁହାନା ଖାନ୍ଙ୍କୁ ଦେଖିବାକୁ ମିଳିପାରେ। ପିୟୁଷ ଭଗତ ଓ ଶାଜିଆ ସାମଜୀ ଗୀତଟିର କୋରିଓଗ୍ରାଫି କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୁମ୍ବାଇର ଫିଲ୍ମ ସିଟିରେ ଏକ ଭବ୍ୟ ସେଟ୍ରେ ଏହାର ସୁଟିଂ କରାଯିବାର ଯୋଜନା ରହିଛି।
ସେପଟେ ଫିଲ୍ମର ଭିଜୁଆଲ୍ ଇଫେକ୍ଟସ୍ ଓ ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ ଚାଲିଛି। ତେବେ ଟିଜର୍ ରିଲିଜ୍ ନେଇ ନିର୍ମାତାଙ୍କ ପକ୍ଷରୁ ଏଯାଏଁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ। ଏବେ ଶାହରୁଖଙ୍କ ଫ୍ୟାନ୍ଙ୍କ ନଜର ରହିଛି ଫିଲ୍ମର ପ୍ରଥମ ଝଲକ ଉପରେ।