ଭୁବନେଶ୍ୱର: ରାଜଧାନୀରେ ଗରିବ ଓ ନିମ୍ନ ଆୟବର୍ଗର ପରିବାରଙ୍କ ପାଇଁ ଖୁସି ଖବର। ଏଣିକି ନିଜ ଘରର ସ୍ୱପ୍ନ ପୂରଣ କରିବା ସହ ଶସ୍ତାରେ ଘର ଭଡ଼ା ନେଇ ରହିପାରିବେ ପ୍ରବାସୀ ଶ୍ରମିକ। ରବିବାର ଭୁବନେଶ୍ୱରରେ ଦୁଇଟି ବଡ଼ ଆବାସ ପ୍ରକଳ୍ପ ଓ ୧୨ଟି ଆଧୁନିକ ଖେଳପଡ଼ିଆର ଉଦ୍ଘାଟନ କରିବା ସହ PMAY-Urban BANDHU ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଘାଟିକିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ନୀଳକଣ୍ଠେଶ୍ୱର ରେସିଡେନ୍ସି’ ଓ ‘ମୁକ୍ତେଶ୍ୱର ରେସିଡେନ୍ସି’କୁ ଲୋକାର୍ପଣ କରିଛନ୍ତି। ଘାଟିକିଆରେ ୫ ଏକରରୁ ଅଧିକ ଜମିରେ ୬୬.୪୮ କୋଟି ଟଙ୍କା ବ୍ୟୟରେ ୯୨୮ଟି ଘର ନିର୍ମାଣ ହୋଇଛି। ସେହିପରି ଗାଡ଼କଣରେ ୬ ଏକରରୁ ଅଧିକ ଜମିରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ୬୮୦ଟି ଘର ନିର୍ମିତ ହୋଇଛି। ଏହି ଦୁଇ ପ୍ରକଳ୍ପ ମାଧ୍ୟମରେ ମୋଟ ୧,୬୦୮ଟି ଶସ୍ତା ଘର ଉପଲବ୍ଧ ହେବ।
ଏହାସହ ଭୁବନେଶ୍ୱର ବିକାଶ ପ୍ରାଧିକରଣ (BDA) ପକ୍ଷରୁ ବିକଶିତ ୧୨ଟି ଆଧୁନିକ ଖେଳପଡ଼ିଆକୁ ମଧ୍ୟ ଉଦ୍ଘାଟନ କରାଯାଇଛି। ଏହି ଖେଳପଡ଼ିଆ ଯୁବପିଢ଼ିଙ୍କୁ ନିଜ ପ୍ରତିଭା ବିକଶିତ କରିବା ସହ ଖେଳକୁଦ ପାଇଁ ଉନ୍ନତ ସୁଯୋଗ ଯୋଗାଇଦେବ।
ପ୍ରବାସୀ ଶ୍ରମିକଙ୍କୁ ମିଳିବ ଶସ୍ତା ଘର
ଏହି ଅବସରରେ PMAY-Urban BANDHU ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନାରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ କର୍ମସ୍ଥଳ ନିକଟରେ କମ୍ ଭଡ଼ାରେ ଘର ଯୋଗାଇଦେବା ଲକ୍ଷ୍ୟ ରହିଛି। ଏଥିସହ ଘର କିଣିବା ପାଇଁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଜରିଆରେ ଋଣ ସହାୟତାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗାଡ଼କଣରେ ଏହି ଯୋଜନା ଅନ୍ତର୍ଗତ ଏକ ନୂଆ ଆବାସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମରେ ବୁଢ଼ା ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀର ୯୬୨ଟି ପରିବାରକୁ ମଧ୍ୟ ଆଶ୍ରୟ ଯୋଗାଇ ଦିଆଯାଇଛି। ଏହାସହ ଦୁଇଟି ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଘର ଆବଣ୍ଟନ ପତ୍ର ଓ କିଛି ହିତାଧିକାରୀଙ୍କୁ ୧.୨୦ ଲକ୍ଷରୁ ୧.୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ସହାୟତା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପରେ ମଣିଷର ସବୁଠାରୁ ମୌଳିକ ଆବଶ୍ୟକତା ହେଉଛି ମୁଣ୍ଡ ଗୁଞ୍ଜିବାକୁ ଘର। ଓଡ଼ିଶାରେ PMAY-Urban ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ ରାଜ୍ୟ ସରକାର ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ପ୍ରାୟ ୫ ଲକ୍ଷ ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି।
କାର୍ଯ୍ୟକ୍ରମରେ ଆବାସ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।