ଭୁବନେଶ୍ୱର: ରାଜ୍ୟରୁ ଧୀରେ ଧୀରେ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଅକ୍ଟୋବର ୧୨ ସୁଦ୍ଧା ଆଉ କିଛି ଅଞ୍ଚଳରୁ ମୌସୁମୀ ଫେରିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହାସହ ରାଜ୍ୟର ୧୦ଟି ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିଛି। ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରୁ ମଧ୍ୟ ମୌସୁମୀ ଫେରିଛି।
IMD ପକ୍ଷରୁ କୁହାଯାଇଛି, ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେଉଛି। ଏହାସହ ଦକ୍ଷିଣ ଉପଦ୍ୱୀପ ଭାରତରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।