ଭୁବନେଶ୍ୱର : ଦୁର୍ଗାପୂଜା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷା ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଏକାଧିକ ସୁଇଟ୍ସ ଷ୍ଟଲ୍ ଏବଂ ହୋଟେଲକୁ ସିଲ୍ କରାଯାଇଛି । ଦୁର୍ଗାପୂଜା ଓ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସହରବାସୀଙ୍କୁ ସ୍ୱଚ୍ଛ ଓ ସୁରକ୍ଷିତ ଖାଦ୍ୟ ଯୋଗାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସହରର କିଛି ପ୍ରତିଷ୍ଠିତ ମିଠା ଦୋକାନ ଏବଂ ସେମାନଙ୍କର ପ୍ରସ୍ତୁତି କେନ୍ଦ୍ର ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ଛେନା ଓ ପନିର ଜବତ କରାଯାଇଛି । ଅତ୍ୟନ୍ତ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ମିଠା ତିଆରି ହେଉଥିବା ଦେଖିବାକୁ ମିଳିଥିଲା ।
ଗ୍ରାହକମାନଙ୍କୁ ପୁରୁଣା ଓ ବାସି ମିଠା ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । କିଛିସନ୍ଦେହଜନକ ମିଠା ଏବଂ କଞ୍ଚାମାଲର ନମୁନାକୁ କେମିକାଲ୍ ଓ ମାଇକ୍ରୋବାୟୋଲୋଜିକାଲ୍ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି ।
ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଦୋକାନୀମାନଙ୍କ ଉପରେ ମୋଟା ଅଙ୍କର ଫାଇନ୍ ମଧ୍ୟ ଲଗାଯାଇଛି ।
ଆଗାମୀ ଦିନରେ ଏହିପରି ଅତର୍କିତ ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।