ଯାଜପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ବଡ଼ ଭେଟି ଦେଇଛନ୍ତି । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ୩୯ ହଜାର ୩୮୩ କୋଟି ଟଙ୍କା ମୂଲ୍ୟର ୪୬ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ଏହି ଯୁଗାନ୍ତକାରୀ ପଦକ୍ଷେପ ରାଜ୍ୟରେ ୪୨,୦୦୦ରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାକୁ ଦେଶ ତଥା ବିଶ୍ୱର ଏକ ଅଗ୍ରଣୀ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ। ସ୍ଥାନୀୟ ସମ୍ବଳର ଯଥାର୍ଥ ଉପଯୋଗ, ଶିଳ୍ପ ପ୍ରସାର ଏବଂ ପ୍ରତ୍ୟେକ ଓଡ଼ିଆ ପରିବାର ନିକଟରେ ସମୃଦ୍ଧି ପହଞ୍ଚାଇବା ଆମର ସଂକଳ୍ପ। ଏକ ଆତ୍ମନିର୍ଭର, ବିକଶିତ ତଥା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରଗତି ଯାତ୍ରା ନିରନ୍ତର ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରେ ସନ୍ତୁଳିତ ଶିଳ୍ପାୟନ ସୁନିଶ୍ଚିତ କରି ସ୍ଥାନୀୟ ପ୍ରତିଭାମାନଙ୍କୁ ନିଜ ମାଟିରେ ସ୍ୱାଭିମାନର ସହ କର୍ମସଂସ୍ଥାନ ଯୋଗାଇବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପୂର୍ବ ସରକାରଙ୍କ ଭଳି ଶିଳ୍ପାୟନ ଏବେ କେବଳ କାଗଜକଲମ କିମ୍ବା ମଞ୍ଚର ଫମ୍ପା ଘୋଷଣାରେ ସୀମିତ ନାହିଁ; ଆଜି ବାସ୍ତବରେ କାରଖାନା ଗଢ଼ା ହେଉଛି, ଉତ୍ପାଦନ ଆରମ୍ଭ ହେଉଛି ଏବଂ ଆମର ଯୁବପିଢ଼ି ନିଯୁକ୍ତି ପାଉଛନ୍ତି।
ବିରୋଧୀମାନେ ନକଲି ଆନ୍ଦୋଳନ ଓ ଅପପ୍ରଚାରର ରାଜନୀତିରେ ବ୍ୟସ୍ତ ଥିବା ବେଳେ, ଆମ ସରକାର ଦିନରାତି କେବଳ ବିକାଶ ଓ ପ୍ରଗତିରେ ସମର୍ପିତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ 'ପୂର୍ବୋଦୟ' ସଂକଳ୍ପର ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ଓଡ଼ିଶା ଆଜି ସମଗ୍ର ଦେଶର ଅଗ୍ରଣୀ ମାନୁଫାକଚରିଂ ପାୱାରହାଉସ୍ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।