କଟକ: ଭୁବନେଶ୍ୱରର ବହୁଚର୍ଚ୍ଚିତ ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଆଜି ଓଡ଼ିଶା ହାଇକୋର୍ଟରେ ହୋଇଯାଇଛି। ଶୁଣାଣି ସମୟରେ ଏତଲାକାରୀଙ୍କ ତରଫରୁ ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ କଡ଼ା ବିରୋଧ କରାଯାଇଛି।
ହାଇକୋର୍ଟର ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠରେ ଅଭିଯୁକ୍ତ କୁନା ଓରଫ ସଂଗ୍ରାମ ବେହେରା ଏବଂ ସତୁରା ଓରଫ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଏତଲାକାରୀଙ୍କ ଓକିଲ ମାମଲାରେ ହୋଇଥିବା ଟିଆଇ (TI) ପରେଡ୍ ଏବଂ ପୋଲିସ ତଦନ୍ତରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ-ପ୍ରମାଣ ସମ୍ପର୍କରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୪ ତାରିଖ ପାଇଁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରୀ ୨୮ ତାରିଖ (ଶନିବାର) ରାତିରେ ରସୁଲଗଡ଼ ନିକଟସ୍ଥ ଜିଜିପି କଲୋନୀରେ ରାହୁଲଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ଛୁରାମାଡ଼ କରି ହତ୍ୟା କରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରାହୁଲ ଅକ୍ସିଜେନ୍ ସିଲିଣ୍ଡର୍ କାରବାର କରିବା ସହ ଜଣେ ସଫଳ ୟୁଟ୍ୟୁବ୍ ବ୍ଲଗର୍ ଭାବେ ବେଶ୍ ପରିଚିତ ଥିଲେ। ଏହି ମାମଲାରେ ଏତଲାକାରୀଙ୍କ ପକ୍ଷରୁ ଆଇନଜୀବୀ ନିହାର ରଞ୍ଜନ ଓଝା ମାମଲା ପରିଚାଳନା କରୁଛନ୍ତି।