ଭୁବନେଶ୍ୱର: ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଓ କମ୍ପ୍ୟୁଟର ସ୍କ୍ରିନ୍ରେ ଆମେ ଆଖି ପୁରାଇ ବସିରହୁଛେ। ଅନଲାଇନ୍ କାମ ହେଉ କି ସୋସିଆଲ ମିଡିଆରେ ସମୟ ବିତାଇବା, ଦୀର୍ଘ ସମୟ ସ୍କ୍ରିନ୍ ବ୍ୟବହାର ଆଜିର ଜୀବନର ଯେପରିଏକ ଅଂଶ ପାଲଟିଛି, କିନ୍ତୁ ଏହି ଅଭ୍ୟାସ ଆଖି ଉପରେ ପକାଉଛି କି ପ୍ରଭାବ? ଯୁବପିଢ଼ିଙ୍କ ମଧ୍ୟରେ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ସମେତ ବିଭିନ୍ନ ଚକ୍ଷୁ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ। ଆଖିରେ ଦେଖାଦେଉଥିବା ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା ନକରିବା ସହ ଠିକ୍ ସମୟରେ ଚିକିତ୍ସା କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ବିଶ୍ୱ ଦୃଷ୍ଟି ଦିବସରେ ସଚେତନତା କାର୍ଯ୍ୟକ୍ରମ
ବିଶ୍ୱ ଦୃଷ୍ଟି ଦିବସ ଅବସରରେ ଏମ୍ସ ଭୁବନେଶ୍ୱରର ଚକ୍ଷୁ ବିଭାଗ ପକ୍ଷରୁ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ପାଇଁ ୱାକାଥନ୍ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ଡ. ଆଶୁତୋଷ ବିଶ୍ୱାସ କହିଥିଲେ ଯେ, ଦୀର୍ଘ ସମୟ ଧରି ସ୍କ୍ରିନ୍ ବ୍ୟବହାର କରିବା ଏବଂ ଆଖିର ଉପଯୁକ୍ତ ଯତ୍ନ ନନେବା ଦ୍ୱାରା ଚକ୍ଷୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ।
ସ୍କ୍ରିନ୍ ବ୍ୟବହାର ସମୟରେ ନିୟମିତ ବିରତି ନେବା, ସମୟାନୁସାରେ ଆଖି ପରୀକ୍ଷା କରାଇବା ଏବଂ ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଅନେକ ଚକ୍ଷୁ ସମସ୍ୟାକୁ ଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଦୃଷ୍ଟିଶକ୍ତି ହ୍ରାସକୁ ରୋକାଯାଇପାରିବ।
ମାସକୁ ୫ରୁ ୬ ହଜାର ରୋଗୀ ନେଉଛନ୍ତି ଚକ୍ଷୁ ଚିକିତ୍ସା
ଏମ୍ସ ଭୁବନେଶ୍ୱରର ଚକ୍ଷୁ ବିଭାଗରେ ପ୍ରତିଦିନ ପ୍ରାୟ ୨୫୦ରୁ ଅଧିକ ରୋଗୀ ଚିକିତ୍ସା ଓ ପରାମର୍ଶ ପାଇଁ ଆସୁଛନ୍ତି। ମାସକୁ ପ୍ରାୟ ୫,୦୦୦ରୁ ୬,୦୦୦ ରୋଗୀ ଏଠାରେ ଚକ୍ଷୁ ସେବା ନେଉଛନ୍ତି। ଦୃଷ୍ଟିଶକ୍ତି ଜନିତ ତ୍ରୁଟି, ମୋତିଆବିନ୍ଦୁ, ଡାଇବେଟିକ୍ ରେଟିନୋପାଥି, ଗ୍ଲୁକୋମା ଏବଂ କମ୍ପ୍ୟୁଟର ଭିଜନ୍ ସିଣ୍ଡ୍ରୋମ୍ ଭଳି ସମସ୍ୟା ଦେଖିବାକୁ ମିଳୁଛି।
ଆଖିର ଯତ୍ନ ନେବା କାହିଁକି ଜରୁରୀ?
ଦୀର୍ଘ ସମୟ ସ୍କ୍ରିନ୍ ଦେଖିବା ଦ୍ୱାରା ଆଖି ଥକିଯିବା, ଶୁଷ୍କତା, ମୁଣ୍ଡବିନ୍ଧା ଓ ଦୃଷ୍ଟି ଅସ୍ପଷ୍ଟ ହେବା ଭଳି ଲକ୍ଷଣ ଦେଖାଦେଇପାରେ। ତେଣୁ ମଝିରେ ମଝିରେ ସ୍କ୍ରିନ୍ରୁ ଆଖି ହଟାଇ ବିରତି ନେବା, ଉପଯୁକ୍ତ ଆଲୋକରେ କାମ କରିବା ଏବଂ ଆଖିରେ ଅସୁବିଧା ଲାଗିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ଡିନ୍ ଡ. ଦିଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜାଙ୍କ ସମେତ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ। ଆଖିର ସୁରକ୍ଷା ପାଇଁ ସଚେତନ ରହିବା ସହ ଚକ୍ଷୁ ସମସ୍ୟାକୁ ଅବହେଳା ନକରିବାକୁ ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି।