ଭୁବନେଶ୍ୱର: ଦୁର୍ଗାପୂଜାରେ ରାଜଧାନୀରେ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୁଲିସର ବଡ଼ ପଦକ୍ଷେପ। ପୂଜା ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୨ଟା ଯାଏଁ ଏହି ନିୟମ ଲାଗୁ ହେବ।
କମିଶନରେଟ୍ ପୁଲିସ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ସହରର ଅନେକ ପ୍ରମୁଖ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିବ। ଏଥିରେ ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ, ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଏବଂ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ସାମିଲ ରହିଛି।
ସେହିପରି ଆଚାର୍ଯ୍ୟବିହାରରୁ ନୂଆ ଏୟାରପୋର୍ଟ ଛକ, ଭୁବନେଶ୍ୱର ବିହାରରୁ ରାଜଭବନ ଛକ, ସିଆରପି ଛକରୁ ପାୱାର ହାଉସ୍, ଫାୟାର ଟ୍ରେନିଂ ସ୍କୁଲରୁ ଶିଶୁଭବନ ଏବଂ ଖଣ୍ଡଗିରିରୁ ପୋଖରୀପୁଟ ରାସ୍ତାରେ ମଧ୍ୟ ଭାରୀଯାନ ଚଳାଚଳ ନିଷେଧ ହେବ। ବରମୁଣ୍ଡାରୁ ପଳାଶୁଣି ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ର ଉଭୟ ପାର୍ଶ୍ୱ ସର୍ଭିସ୍ ରୋଡ୍ରେ ମଧ୍ୟ ଏହି କଟକଣା ରହିବ।
ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ପାଇଁ ବିକଳ୍ପ ରାସ୍ତା
ଖୋର୍ଦ୍ଧା ପଟୁ କଟକ ଅଭିମୁଖେ ଯାଉଥିବା ଭାରୀଯାନ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ। ଏହି ଗାଡ଼ିଗୁଡ଼ିକ ପିତାପଲ୍ଲୀ ଛକ ଦେଇ ବାଲିକୁଦାଠାରେ ଜାତୀୟ ରାଜପଥ-୧୬କୁ ଯିବେ। ଆବଶ୍ୟକ ପଡ଼ିଲେ ପାତ୍ରପଡ଼ା ଛକ ଓ ବିରୂପା ବ୍ରିଜ୍ ନିକଟରେ ମଧ୍ୟ ଅତିରିକ୍ତ କଟକଣା ଲାଗୁ ହୋଇପାରେ।
ବସ୍ ଚଳାଚଳରେ ପରିବର୍ତ୍ତନ
ପୂଜା ସମୟରେ ବସ୍ ଚଳାଚଳ ପାଇଁ ମଧ୍ୟ ବିକଳ୍ପ ରାସ୍ତା ନିର୍ଦ୍ଧାରଣ କରାଯାଇଛି। ପୁରୀରୁ ବରମୁଣ୍ଡା ଆସୁଥିବା ବସ୍ ଲିଙ୍ଗିପୁର ଛକରୁ ପାଣ୍ଡରା, କେଶୁରା ଓ ହାଇଟେକ୍ ଛକ ଦେଇ ଯିବ। ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍ ଉପ୍ପଲ ରୋଡ୍ ବ୍ୟବହାର କରିବ। ପୁରୀରୁ କଟକ ଯାଉଥିବା ବସ୍ ଲିଙ୍ଗିପୁରରୁ ହାଇଟେକ୍ ଛକ ଦେଇ ବାଇପାସ୍ରେ ଯାତ୍ରା କରିବ।
ମାଷ୍ଟରକ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡରୁ ବାଣୀବିହାର କିମ୍ବା ଟଙ୍କିଆ ଛକ ଆଡ଼କୁ ବସ୍ ଯାଇପାରିବ ନାହିଁ। ସେଗୁଡ଼ିକ ରାମମନ୍ଦିର ଛକ ଓ ହାଉସିଂ ବୋର୍ଡ ଦେଇ ଆଚାର୍ଯ୍ୟବିହାର ଯିବେ। ଲିଙ୍ଗରାଜ ମନ୍ଦିର ଛକରୁ ଲୁଇସ୍ ରୋଡ୍ ଆଡ଼କୁ ଯାଉଥିବା ବସ୍ ଗ୍ୟାରେଜ୍ ଛକ ଓ ସାମନ୍ତରାପୁର ଦେଇ ଲିଙ୍ଗିପୁର ଯିବେ।
ନୟାପଲ୍ଲୀ ରାବଣପୋଡ଼ି ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା
ନୟାପଲ୍ଲୀ ରାବଣପୋଡ଼ି ସମୟରେ ଜାତୀୟ ରାଜପଥ-୧୬ରେ କଟକ ପଟୁ ଆସୁଥିବା ଗାଡ଼ିକୁ ଜୟଦେବ ବିହାର ଦେଇ ଡାଇଭର୍ଟ କରାଯିବ। ଏହି ସମୟରେ ଜରୁରୀକାଳୀନ ଗାଡ଼ିକୁ ଛାଡ଼ ଦିଆଯିବ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ୧୦୦ରୁ ୨୦୦ ଟଙ୍କା ଯାଏଁ ଜରିମାନା ହୋଇପାରେ। ତେବେ ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ସେବା ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ।
ପୂଜା ସମୟରେ ମଦ୍ୟପାନ କରି ଗାଡ଼ି ନଚଳାଇବା, ହେଲମେଟ୍ ପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନକରିବା ଏବଂ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବାକୁ ପୁଲିସ ପରାମର୍ଶ ଦେଇଛି। ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଦୁର୍ଗାପୂଜା ପାଳନ ପାଇଁ ଟ୍ରାଫିକ୍ ନିୟମ ମାନିବା ସହ ପୁଲିସକୁ ସହଯୋଗ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରାଯାଇଛି।