ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରି ବିଦାୟ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପୃଥ୍ୱୀରାଜ ହରିଚନ୍ଦନ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟପାଳଙ୍କ ଓଡ଼ିଶା ପ୍ରତି ଅବଦାନକୁ ସ୍ମରଣ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟକାଳରେ ସମ୍ବିଧାନର ମୂଲ୍ୟବୋଧ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିବା ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଥିସହ ରାଜ୍ୟପାଳଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଆଗାମୀ ଜୀବନରେ ସଫଳତା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ସିଂହଦେଓ।
ଅନ୍ୟପଟେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ। ସେହିପରି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ବିଦାୟ ଶୁଭେଚ୍ଛା ଜଣାଇଥିଲେ।
ରାଜ୍ୟପାଳଙ୍କୁ ମନ୍ତ୍ରୀମାନଙ୍କ ଏହି ସାକ୍ଷାତ ତାଙ୍କ କାର୍ଯ୍ୟକାଳ ପ୍ରତି କୃତଜ୍ଞତା ଜଣାଇବାର ଏକ ଅବସର ହୋଇଥିବା ବେଳେ, ସେମାନେ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।