ନୂଆଦିଲ୍ଲୀ: ଅନଲାଇନ୍ ବା ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ କରୁଥିବା ବ୍ୟବସାୟୀଙ୍କ ବଡ଼ ଆଶ୍ୱସ୍ତି ଖବର ଆସିଛି । କେନ୍ଦ୍ର ସରକାର ୟୁପିଆଇ କାରବାର ଉପରେ ଲାଗୁ କରିବାକୁ ଥିବା 'ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍' (MDR) ସମୟ ସୀମାକୁ ବୃଦ୍ଧି କରିଛନ୍ତି । ୟୁପିଆଇ ଉପରେ ଏମଡିଆର୍ ଚାର୍ଜ ଲାଗୁ କରିବା ଅବଧି ଅକ୍ଟୋବର ୧୫ ରୁ ବୃଦ୍ଧି କରାଯାଇ ୨୦୨୭ ଜାନୁଆରୀ ୧ ପର୍ଯ୍ୟନ୍ତ କରାଯାଇଥିବା ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇନଥିଲେ ମଧ୍ୟ ବିଭିନ୍ନ ସୂତ୍ରରୁ ଉଦ୍ଧୃତ କରି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ଏହି ପ୍ରସ୍ତାବକୁ ସରକାରୀ ଅନୁମୋଦନ ମିଳିସାରିଛି । ସମୟସୀମା ବୃଦ୍ଧି ହେବା ଅର୍ଥ ହେଉଛି ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ୟୁପିଆଇ ଉପରେ ଏମଡିଆର ବାବଦରେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହା କେବଳ ସେମାନଙ୍କ ଲାଭାଂଶକୁ ସୁରକ୍ଷିତ ରଖିବ ନାହିଁ, ବରଂ ସାରା ଦେଶରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାରକୁ ମଧ୍ୟ ଆହୁରି ତ୍ୱରାନ୍ୱିତ କରିବା ନେଇ ଆଶା କରାଯାଉଛି ।
କେନ୍ଦ୍ର ସରକାର ୟୁପିଆଇ କାରବାର ଉପରେ 'ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍' ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଏହି ନିୟମ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଡିଜିଟାଲ୍ କାରବାର ପାଇଁ ୦.୪% ଏମଡିଆର୍ ଧାର୍ଯ୍ୟ କରାଯାଇଛି। ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ ନାହିଁ । କେବଳ ବ୍ୟବସାୟୀମାନଙ୍କଠାରୁ ଆଦାୟ କରାଯିବ । ଏହି ପଦକ୍ଷେପ ଦ୍ୱାରା ପେମେଣ୍ଟ ଗେଟୱେ ତଥା Paytm ଓ MobiKwik ଭଳି କମ୍ପାନୀଗୁଡ଼ିକର ରାଜସ୍ୱରେ ଯଥେଷ୍ଟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଗତ ମାସରେ ଯେତେବେଳେ ଏହି ନିଷ୍ପତ୍ତି ଘୋଷଣା କରାଯାଇଥିଲା, ସେତେବେଳେ ଏହି ଫିନଟେକ୍ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଥିଲା।