ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ପ୍ରସ୍ତାବିତ ଏକ ବିଶାଳ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭିତ୍ତିଭୂମି ପ୍ରକଳ୍ପ ପାଇଁ ୨୨,୬୩୪ କୋଟି ଟଙ୍କାର ପୁଞ୍ଜିନିବେଶକୁ ସରକାରୀ ମଞ୍ଜୁରି ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରୀ କମିଟି (HLCA) ବୈଠକରେ ଏହି ପ୍ରସ୍ତାବକୁ କେନ୍ଦ୍ର କରି ସବୁଜ ସଙ୍କେତ ଦିଆଯାଇଛି। ଭାରତର ସୋଭେରିଆନ୍ ଏଆଇ (Sovereign AI) ଭିତ୍ତିଭୂମି ବିକାଶ ଦିଗରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି।
ଏହି ବୃହତ୍ ପ୍ରକଳ୍ପଟି 'ସେଣ୍ଟ୍ରାଫୋର୍ଜ ଏଆଇ' (SentraForge AI) ଏବଂ 'ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡ୍' ମଧ୍ୟରେ ଏକ ରଣନୈତିକ ସହଭାଗିତା ଜରିଆରେ କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପରେ ଜିଭିପିଆର୍ ମୁଖ୍ୟ ଇକ୍ୱିଟି ସମର୍ଥକ, ଇନଫ୍ରାଷ୍ଟ୍ରକ୍ଚର କୋ-ପ୍ରୋମୋଟର ଏବଂ ମୂଳ ଅଂଶୀଦାର (Fundamental Partner) ଭାବରେ ସାମିଲ ରହିଛି। ପ୍ରସ୍ତାବିତ ପ୍ରକଳ୍ପକୁ ପରବର୍ତ୍ତୀ ପିଢ଼ିର ସୋଭେରିଆନ୍ ଏଆଇ କମ୍ପ୍ୟୁଟ୍ ଭିତ୍ତିଭୂମି ଭାବରେ ବିକଶିତ କରାଯାଉଛି। ଏହା ହାଇ ଡେନ୍ସିଟି କମ୍ୟୁଟ୍, ଜଟିଳ ଏଆଇ କାର୍ଯ୍ୟଭାର (AI workloads) ଏବଂ ବିଭିନ୍ନ କର୍ପୋରେଟ୍ ତଥା ସଂସ୍ଥାଗତ ପ୍ରୟୋଗଗୁଡ଼ିକୁ ସଫଳତାର ସହ ସହାୟତା ଯୋଗାଇଦେବ।
ଜିଭିପିଆର୍ ଏବଂ ସେଣ୍ଟ୍ରାଫୋର୍ଜର ଭୂମିକା
ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡ୍ ଲାର୍ଜ-ସ୍କେଲ୍ ପାୱାର ଟ୍ରାନ୍ସମିସନ୍, ହାଇ-ଭୋଲ୍ଟେଜ୍ ସବଷ୍ଟେସନ୍ ଏବଂ ହେଭି ସିଭିଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ତା'ର ଦୀର୍ଘଦିନର ଅଭିଜ୍ଞତା ଏହି ପ୍ରକଳ୍ପରେ ପ୍ରୟୋଗ କରୁଛି। ଏକ ମୁଖ୍ୟ ଇକ୍ୱିଟି ସମର୍ଥକ ଭାବରେ କମ୍ପାନି ଏହାର ଭିତ୍ତିଭୂମି ବିକାଶ ଏବଂ କାର୍ଯ୍ୟକାରିତାରେ ପ୍ରମୁଖ ଭୂମିକା ନେଉଛି। ଅନ୍ୟପକ୍ଷରେ, ସେଣ୍ଟ୍ରାଫୋର୍ଜ ଏଆଇ ପାଖରେ ସୋଭେରିଆନ୍ ଏଆଇ ପ୍ରଯୁକ୍ତିବିଦ୍ୟା ଏବଂ ଅତ୍ୟାଧୁନିକ କମ୍ପ୍ୟୁଟ୍ ଭିତ୍ତିଭୂମି ନିର୍ମାଣର ବିଶେଷଜ୍ଞତା ରହିଛି। ଉଭୟଙ୍କ ମିଳିତ ପ୍ରୟାସ ଦ୍ୱାରା ଦେଶରେ ଏକ ଶକ୍ତିଶାଳୀ ଏଆଇ ଇକୋସିଷ୍ଟମ ଗଢ଼ିଉଠିବ।