ନୂଆଦିଲ୍ଲୀ: ନିଜର ମନମାନୀ କରି ଉପଭୋକ୍ତାଙ୍କୁ ଲୁଟୁଥିବା ଟେଲିକମ୍ କମ୍ପାନୀମାନେ ସାବାଡ୍ ହେବେ । ଡାଟାର ଆବଶ୍ୟକତା ନ ଥିବା ସତ୍ୱେ ବାଧ୍ୟତାମୂଳକ ରିଚାର୍ଜ କରିବାର ନିୟମ ଉପରେ କେନ୍ଦ୍ର ସରକାର ଲଗାମ ଲଗାଇଛନ୍ତି । ଏଣିକି ଡାଟାର ଆବଶ୍ୟକତା ନ ଥିଲେ ଆଉ ରିଚାର୍ଜ କରିବାକୁ ପଡ଼ିବ ନାହିଁ । କେବଳ ଏସ୍ଏମ୍ଏସ୍ ଏବଂ ଭଏସ୍ କଲ୍ ପାଇଁ ଉପଭୋକ୍ତାମାନେ ରିଚାର୍ଜ କରିପାରିବେ । ଟେଲିକମ୍ ରେଗୁଲେଟର୍ ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ ନୂତନ ନିୟମ ଆଣିଛି ।
ଟ୍ରାଇ ଟେଲିକମ୍ କଞ୍ଜ୍ୟୁମର୍ ରେଗୁଲେସନ୍ ୨୦୨୬କୁ ସେପ୍ଟମ୍ବର ୨୧ରେ ଜାରି କରିଛି । ଗତ କିଛି ବର୍ଷ ହେବ ଡାଟା ବହୁଳ ବ୍ୟବହାର ହେବା ପରେ ଟେଲିକମ୍ କମ୍ପାନୀମାନେ ମନମୁଖୀ କାର୍ୟ୍ୟ କରୁଥିଲେ । କମ୍ପାନୀମାନେ ଗୋଟିଏ ରିଚାର୍ଜରେ କଲ୍, ଏସ୍ଏମ୍ଏସ୍ ଏବଂ ଡାଟା ସୁବିଧା ଉପଲବ୍ଧ କରାଇ ଅଧିକ ଚାର୍ଜ କରୁଥିଲେ । ଫଳରେ ଜଣେ ଉପଭୋକ୍ତାଙ୍କର ଡାଟାର ଆବଶ୍ୟକତା ନ ଥିବା ସତ୍ୱେ ସେ ବାଧ୍ୟହୋଇ ରିଚାର୍ଜ କରୁଥିଲେ । ଯାହା ଉପରେ ଟ୍ରାଇ କଟକଣା ଲାଗୁ କରିଛି । ଏହି ସମସ୍ୟାକୁ ଦୂର କରିବାକୁ ଟ୍ରାଇ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ପରେ ଲାଗୁ ହେବ ।
ନୂତନ ନିୟମ ଅନୁସାରେ, ଯଦି କୌଣସି ଟେଲିକମ୍ କମ୍ପାନୀ ଏକ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଭଏସ୍, ଏସ୍ଏମ୍ଏସ୍ ଡାଟା ସମ୍ବଳିତ ରିଚାର୍ଜ ପ୍ଲାନ୍ ଆଣନ୍ତି, ତେବେ ଏହାକୁ ସେହି ସମାନ ସମୟ ସୀମା ପାଇଁ କେବଳ ଭଏସ୍ ଏବଂ କେବଳ ଏସ୍ଏମ୍ଏସ୍ ଥିବା ପ୍ଲାନ୍ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ । ଫଳରେ ଯଦି ଜଣେ ଡାଟାର ଆବଶ୍ୟକତା କରୁ ନାହାଁନ୍ତି, ତେବେ ସେ କେବଳ କଲ୍ ଏବଂ ଏସ୍ଏମ୍ଏସ୍ ବିକଳ୍ପକୁ ଚୟନ କରି ରିଚାର୍ଜ କରିପାରିବେ ।
ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରିଚାର୍ଜ ମୂଲ୍ୟ । ଟ୍ରାଇ କୌଣସି ନିର୍ଦ୍ଧିଷ୍ଟ ପ୍ଲାନ୍ ଉପରେ ନିର୍ଦ୍ଧିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରିନାହିଁ । ଏହା ସମ୍ପୂର୍ଣ୍ଣଭାବେ ଟେଲିକମ୍ କମ୍ପାନୀ ଉପରେ ନିର୍ଭରଶୀଳ । କମ୍ପାନୀ ନିଜ ଇଚ୍ଛା ମୁତାବକ ପ୍ଲାନ୍ ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସ୍ୱାଧୀନ । ଟ୍ରାଇ ସ୍ପଷ୍ଟ ଭାବରେ କହିଛି ଯେ, ଡାଟା ସୁବିଧା ହଟାଇବା ପରେ କେବଳ ଭଏସ୍ ବଂ ପାଇଁ ଉଦ୍ଦିଷ୍ଟ ସ୍ପେଶାଲ୍ ଟାରିଫ୍ ଭାଉଚର୍ ଗୁଡ଼ିକର ମୂଲ୍ୟ ଯୁକ୍ତିଯୁକ୍ତ ଭାବେ ହ୍ରାସ କରାଯିବା ଆବଶ୍ୟକ । କମ୍ପାନୀଗୁଡ଼ିକ ନିଜର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସ୍ୱାଧୀନ, କିନ୍ତୁ ଡାଟା ସୁବିଧା ହଟାଇବା ପରେ ସେମାନଙ୍କୁ ମୂଲ୍ୟରେ ଯୁକ୍ତିଯୁକ୍ତ ହ୍ରାସ ଲାଗୁ କରିବାକୁ ପଡ଼ିବ ।
ପୂର୍ବରୁ ମଧ୍ୟ କେବଳ ଭଏସ୍ କଲ୍ ଏବଂ ଏସ୍ଏମ୍ଏସ୍ ପାଇଁ ରିଚାର୍ଜ ପ୍ଲାନ ସୁବିଧା ଥିଲା । ଏହା ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ଥିଲା । ମାତ୍ର ପରବର୍ତ୍ତୀ ସମୟରେ ପ୍ରାୟ ସମସ୍ତ ଟେଲିକମ୍ କମ୍ପାନୀ ଦୀର୍ଘ ୮୦/୮୪ କିମ୍ବା ୩୩୬/୩୬୫ ଦିନ ପାଇଁ ଭଏସ୍ କଲ୍ ଏବଂ ଏସ୍ଏମ୍ଏସ୍ ପ୍ଲାନ୍ ବଜାରକୁ ଆଣିଲେ । କୌଣସି କମ୍ ରିଚାର୍ଜ ବିକଳ୍ପ ଆଉ ଉପଭୋକ୍ତାଙ୍କ ନିକଟରେ ରହିଲା ନାହିଁ । ଏହା ଦ୍ୱାରା ମୋବାଇଲ୍ ବ୍ୟବହାର କରୁଥିବା ବହୁତ ବୟୋଜ୍ୟୋଷ୍ଠ, ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେହିପରି ଯେଉଁମାନେ ଘରେ ୱାଇଫାଇ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ବାଧ୍ୟ ହୋଇ ମୋବାଇଲରେ ଅଲଗା ବଡ଼ ବଡ଼ ରିଚାର୍ଜ କରୁଥିଲେ । ଆବଶ୍ୟକତା ନ ଥିବା ସତ୍ୱେ ବାଧ୍ୟହୋଇ ଏଭଳି ରିଚାର୍ଜ କରୁଥିଲେ । ଟ୍ରାଇର ନୂତନ ନିୟମ ଦ୍ୱାରା ଉପଭୋକ୍ତା ମାନେ ଆଶ୍ୱସ୍ତି ଲାଭ କରିବେ ।