ଭୁବନେଶ୍ୱର: ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ଅପରାଧିକଙ୍କ ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ ‘ଦମନ’ । ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ‘ଦମନ’ ଅଭିଯାନକୁ ଅଧିକ ଜୋରଦାର କରାଯାଇଛି । ପେଷାଦାର ଅପରାଧୀ, ନିଶା କାରବାର, ଅସ୍ତ୍ର କାରବାର ଏବଂ ଅବକାରୀ କ୍ଷେତ୍ରରେ ପୋଲିସ ଘନ ଘନ ଚଢ଼ଉ କରିଛି । ମାତ୍ର ତିନି ମଧ୍ୟରେ ୧୦୯ଟି ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲ୍ୟୁ ଜାରି ହୋଇଥିବାବେଳେ ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧୪୮ଟି ମାମଲା ହୋଇଛି ।
ରାଜ୍ୟ ପୋଲିସର ସୂଚନା ଅନୁସାରେ, ଗତ ୨୧ ତାରିଖରୁ ରାଜ୍ୟବ୍ୟାପୀ ଚାଲିଥିବା ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଦ୍ୟାବଧି ୧୦୯ଟି ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରାଯାଇଥିବାବେଳେ ୪୦ ଜଣଙ୍କ ବିରୋଧରେ ବିଏନଏସ୍ଏସ୍ ଧାରା ୧୨୯ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧୪୮ଟି ମାମଲା ରୁଜୁ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ ହୋଇଛି। ଏହି ସମୟରେ ୮୯୫ ଲିଟର ଦେଶୀ ମଦ, ୧୯୩ ଲିଟର ବିଦେଶୀ ମଦ, ୯୮ ଲିଟର ଆସ୍କା-40, ୨୦୯ ଲିଟର ଦେଶୀ ମହୁଲି ଜବତ କରାଯାଇଛି।
ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୧୫ଟି ଏନଡିପିଏସ୍ ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି । ପ୍ରାୟ ୧,୯୧୮ କେଜି ଗଞ୍ଜେଇ, ୬୩.୬୨୮ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୬୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି । ଏଥି ସହିତ ନିଶା କାରବାରରେ ବ୍ୟବହୃତ ଯାନବାହନ, ମୋବାଇଲ ଫୋନ୍ ଓ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।
ଏହାବ୍ୟତୀତ ଜୁଆ ଓ ବେଆଇନ ଚାନ୍ଦା ଆଦାୟ ବିରୋଧରେ ମଧ୍ୟ ଚଢ଼ାଉ କରାଯାଇଛି। ଜୁଆ ସମ୍ପର୍କିତ ୨ଟି ମାମଲାରେ ୧୦ ଜଣ ଗିରଫ ହୋଇଥିବାବେଳେ ୩ଟି ବେଆଇନ ଚାନ୍ଦା ଆଦାୟ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ନଗଦ ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ସମୟରେ ଗୋଟିଏ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଛି।
ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସୀମାନ୍ତ ଅଞ୍ଚଳରେ ୧୫୧ଟି ବ୍ଲକିଂ ଓ ବର୍ଡର ସିଲିଂ କରାଯାଇଛି। ସଂଗଠିତ ଅପରାଧ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍ବଣ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା, ଶାନ୍ତି ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ପାଇଁ ‘ଦମନ’ ଅଭିଯାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ଏହି ଅଭିଯାନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।