ନୂଆଦିଲ୍ଲୀ: ପଦ୍ମ ଘୁଞ୍ଚିଲା ଭଳି ରାଜ୍ୟ ଡିଜିପି ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ପ୍ରକ୍ରିୟା ଘୁଞ୍ଚି ଘୁଞ୍ଚି ଚାଲିଛି । ସୁପ୍ରିମକୋର୍ଟରେ ଦିନ ଗଡ଼ୁଥିବାବେଳେ ଚୂଡ଼ାନ୍ତ ନିଷ୍ପତି ଆସି ପାରୁନାହିଁ । କ୍ରମାଗତ ଦ୍ୱିତୀୟ ଦିନରେ ଶୁଣାଣି ପ୍ରକ୍ରିୟା ଅସମାପ୍ତ ରହିଛି । ଆସନ୍ତାକାଲି ପାଇଁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ଆଜି ଆବେଦନକାରୀ ଜୟନ୍ତ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ପକ୍ଷ ରଖି ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଡ଼ା ଶବ୍ଦ ପ୍ରୟୋଗ କରିଥିଲେ । ସେ ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ । ସମ୍ଭାବ୍ୟ ତାଲିକାରୁ ସୁଶାନ୍ତ ନାଥଙ୍କ ନାମକୁ ବାଦ ଦିଆଯିବା ପ୍ରକ୍ରିୟାର ସାମ୍ବିଧାନିକ ବୈଧତା ଏବଂ ଦୁର୍ନୀତି ନିରୋଧୀ ଆଇନର ସେକ୍ସନ ୧୭ (ଏ) ସମ୍ପର୍କରେ ସେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଆଇନଜୀବୀ କରୁଣା ନନ୍ଦୀ, ସୁଶାନ୍ତ ନାଥଙ୍କ ତରଫରୁ ପକ୍ଷ ରଖିଥିଲେ । କାହିଁକି ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଅଟାକାଇ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ।
ଅପରପକ୍ଷରେ ଓଡ଼ିଶା ଡିଜିପି ନିଯୁକ୍ତିରେ ‘ପ୍ରକାଶ ସିଂ’ ମାମଲାର ଗାଇଡଲାଇନକୁ ଅବହେଳା କରାଯାଇଥିବା ନେଇ ଆମିକସ କ୍ୟୁରି କୋର୍ଟରେ ନିଜର ଯୁକ୍ତି ରଖିଥିଲେ । ସମ୍ପୂର୍ଣ୍ଣ ଜବାବ ରଖିବାକୁ ରାଜ୍ୟ ସରକାର କୋର୍ଟଙ୍କୁ ସମୟ ମାଗିଛନ୍ତି । ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ ।