ଭୁବନେଶ୍ୱର: ଆସନ୍ତା ରବିବାର ସେପ୍ଟେମ୍ବର ୨୭ ତାରିଖ ଦିନ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଖୋଲା ରହିବ। ଗ୍ରାହକମାନଙ୍କ ସୁବିଧା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ 'ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ' (UFBU) ପକ୍ଷରୁ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ (୩ ଦିନ) ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ବା ଧର୍ମଘଟ ଡାକରା ଦିଆଯାଇଛି। ତେବେ ସେପ୍ଟେମ୍ବର ୨୬ ତାରିଖ ଚତୁର୍ଥ ଶନିବାର ଏବଂ ୨୭ ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିଥାନ୍ତା। ଏହାପରେ ୩ ଦିନ ଧର୍ମଘଟ ହେଲେ ଗ୍ରାହକମାନେ ଲଗାତାର ୫ ଦିନ କୌଣସି ବ୍ୟାଙ୍କିଙ୍ଗ୍ ସେବା ପାଇପାରିନଥାନ୍ତେ। ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୭ ସେପ୍ଟେମ୍ବର ରବିବାର ଦିନ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ ଏବଂ କରେନ୍ସି ଚେଷ୍ଟ୍ ସାଧାରଣ ଦିନ ଭଳି ସମ୍ପୂର୍ଣ୍ଣ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।