ଭୁବନେଶ୍ୱର: ଓଡ଼ିଶାର ପୋଲଟ୍ରି ଶିଳ୍ପ ଏବେ କେବଳ ରାଜ୍ୟର ଚାହିଦା ପୂରଣ କରୁନାହିଁ, ବରଂ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ରଏଲର ଚିକେନ୍ ଯୋଗାଉଛି। ବିଧାନସଭାରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୨୩,୯୫୬ଟି ଛୋଟ ଓ ବଡ଼ ବ୍ରଏଲର ଫାର୍ମ ଏବଂ ୧୮୯ଟି ବାଣିଜ୍ୟିକ ଲେୟର ଫାର୍ମ କାର୍ଯ୍ୟରତ ଅଛି।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୫–୨୬ ଆର୍ଥିକ ବର୍ଷରେ ଓଡ଼ିଶାର ପୋଲଟ୍ରି ଫାର୍ମଗୁଡ଼ିକରୁ ୪୦,୯୧୩ ଲକ୍ଷ ଅଣ୍ଡା ଏବଂ ୧.୬୪ ଲକ୍ଷ ମେଟ୍ରିକ୍ ଟନ୍ ବ୍ରଏଲର ମାଂସ ଉତ୍ପାଦନ ହୋଇଛି।
ରାଜ୍ୟର ପୋଲଟ୍ରି କ୍ଷେତ୍ରରେ IB Group, Suguna, Japfa, Venky’s, Pashupati Agrovet, Eastern Hatcheries, Utkal Feeds ସମେତ ଏକାଧିକ ବେସରକାରୀ କମ୍ପାନୀ ଇଣ୍ଟିଗ୍ରେସନ୍ ମଡେଲରେ ବିନିଯୋଗ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ଚିକ୍ସ, ଫିଡ୍ ଓ ବଜାର ବ୍ୟବସ୍ଥାକୁ ନେଇ ପୋଲଟ୍ରି ଶିଳ୍ପକୁ ସୁଦୃଢ଼ କରୁଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ ଉତ୍ପାଦିତ ବ୍ରଏଲର ମାଂସର ବଡ଼ ଅଂଶ ବାହାର ରାଜ୍ୟକୁ ଯାଉଛି। ସରକାରୀ ରେକର୍ଡରେ ସଠିକ୍ ତଥ୍ୟ ନଥିଲେ ମଧ୍ୟ, ପୋଲଟ୍ରି କମ୍ପାନୀମାନଙ୍କ ରେକର୍ଡ ଅନୁଯାୟୀ ୨୦୨୫–୨୬ରେ ପ୍ରାୟ ୪୯ ହଜାର ମେଟ୍ରିକ୍ ଟନ୍ ବ୍ରଏଲର ମାଂସ ଅନ୍ୟ ରାଜ୍ୟକୁ ରପ୍ତାନି ହୋଇଛି।
ବ୍ରଏଲର ଚିକେନ୍ ଦର ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଉତ୍ପାଦନ ଖର୍ଚ୍ଚ, ଚାହିଦା–ଯୋଗାଣ ଏବଂ ହୋଲସେଲ ବଜାର ସ୍ଥିତି ଆଧାରରେ ଉତ୍ପାଦକ ଓ ବ୍ୟବସାୟୀମାନେ ଦର ନିର୍ଦ୍ଧାରଣ କରନ୍ତି। ପୋଲଟ୍ରି ମାଂସର ଦର ନିର୍ଦ୍ଧାରଣ ପାଇଁ ସରକାରଙ୍କ କୌଣସି ସ୍ୱତନ୍ତ୍ର ନୀତିନିର୍ଦ୍ଦେଶ ନାହିଁ।