ଭୁବନେଶ୍ୱର: ଓଡ଼ିଶାରେ ବର୍ଷାର ପ୍ରଭାବ ଏବେ ବି ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସକାଳ ୧୦ଟାରେ ଜାରି ହୋଇଥିବା ନାଉକାଷ୍ଟ ସତର୍କବାର୍ତ୍ତା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଏବଂ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଝଡ଼ୋ ପବନ ବହିବାର ସମ୍ଭାବନା ରହିଛି।
ସତର୍କତା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କନ୍ଧମାଳ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ କେନ୍ଦୁଝର।
IMD କହିଛି, ବର୍ଷା ସହ କେତେକ ସ୍ଥାନରେ ବଜ୍ରପାତ ଓ ଦମକା ପବନ ହୋଇପାରେ। ତେଣୁ ଲୋକମାନଙ୍କୁ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ଠିଆ ନ ହେବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗ ଲୋକଙ୍କୁ ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ ନଜର ରଖିବା ସହ ଜରୁରୀ ନଥିଲେ ଅନାବଶ୍ୟକ ବାହାରକୁ ନ ଯିବା ଏବଂ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛି। ଆଗାମୀ କିଛି ଘଣ୍ଟା ପାଇଁ ସତର୍କ ରହିବାକୁ IMD ପକ୍ଷରୁ ଆହ୍ୱାନ କରାଯାଇଛି।