ମୟୂରଭଞ୍ଜ : ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ମହାବଳ ବାଘ ଏକ ଶୂନଶାନ ଘର ଭିତରେ ପଶିଯାଇଛି, ଯାହାକୁ ଗ୍ରାମବାସୀମାନେ ବୁଦ୍ଧିମତାର ସହ ବାହାରୁ ତାଲା ପକାଇ କାବୁ କରିଦେଇଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭୟ ଓ ଉତ୍ତେଜନା ଦେଖାଦେଇଛି ।
ସୂଚନା ଅନୁଯାୟୀ ଶିମିଳିପାଳ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଏହି ଅଞ୍ଚଳକୁ ବାଘଟି ଚାଲିଆସି ଜଣେ ଗ୍ରାମବାସୀଙ୍କ ଖାଲି ଥିବା ଘର ଭିତରେ ପଶିଯାଇଥିଲା।
ସୌଭାଗ୍ୟବଶତଃ ଘରେ କେହି ମଣିଷ ନଥିଲେ। ତେବେ ବାଘଟି ଘରେ ପଶିବା ମାତ୍ରେ ସ୍ଥାନୀୟ ଲୋକେ ସାହସର ସହ ତୁରନ୍ତ ବାହାରୁ କବାଟ ବନ୍ଦ କରି ତାଲା ପକାଇ ଦେଇଥିଲେ। ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘରକୁ ଚାରିପଟୁ ଘେରି ରଖିଥିଲେ ଶେଷ ଖବର ସୁଦ୍ଧା ବାଘକୁ ସୁରକ୍ଷିତ ଭାବେ ଟ୍ରାଙ୍କୁଲାଇଜ୍ (ଶାନ୍ତ) କରି ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରହିଥିଲା।
ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।