ଯାଜପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ବିଭାଗର କର୍ମଚାରୀ। ଯାଜପୁର ସବ୍-କଲେକ୍ଟରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ (JRA) ପ୍ରସନ୍ନ କୁମାର ସାହାଣୀ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ତାଙ୍କ କାର୍ଯ୍ୟାଳୟ କୋଠରୀରୁ ହିଁ ତାଙ୍କୁ କାବୁ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଜଣେ ଅନୁସୂଚିତ ଜାତି (SC) ଜମି ମାଲିକଙ୍କ ଜମି କିଣିବା ପାଇଁ ଆବଶ୍ୟକ ସରକାରୀ ଅନୁମତି ମିଳାଇଦେବାକୁ ଅଭିଯୋଗକାରୀଙ୍କଠାରୁ ସାହାଣୀ ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ନିଜ ମା’ଙ୍କ ନାମରେ ୧୬ ଡେସିମିଲ୍ ଜମି କିଣିବା ପାଇଁ ୨୦୨୫ ନଭେମ୍ବର ୨୯ରେ ଅନୁମତି ଆବେଦନ କରିଥିଲେ।
ତେବେ ଆବେଦନର ଫାଇଲ୍କୁ ଦୀର୍ଘ ସମୟ ଧରି ଆଗକୁ ବଢ଼ାଯାଉନଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ପ୍ରଥମେ ସାହାଣୀ ପ୍ରତି ଡେସିମିଲ୍ ପିଛା ୩ ହଜାର ଟଙ୍କା ହିସାବରେ ମୋଟ ୪୮ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବା ପରେ ଲାଞ୍ଚ ରାଶି ୪୦ ହଜାର ଟଙ୍କାକୁ କମାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବାରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା ଟିମ୍। ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସାହାଣୀ ଅଭିଯୋଗକାରୀଙ୍କଠାରୁ ୪୦ ହଜାର ଟଙ୍କା ଗ୍ରହଣ କରିବା କ୍ଷଣି ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ କବଜାରୁ ସମ୍ପୂର୍ଣ୍ଣ ୪୦ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ସାହାଣୀଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଆରମ୍ଭ ହୋଇଛି। ତାଙ୍କ ଆୟ ସହ ସମ୍ପତ୍ତିର ତୁଳନା କରି ଅଧିକ ସମ୍ପତ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୩୭/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।