କଟକ: ରାଜ୍ୟ ସରକାର ଦୁଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶୁକ୍ରବାର ସରକାର, ଚୌଦ୍ୱାର ମଣ୍ଡଳ କାରାଗାରର ଅଧୀକ୍ଷକ ସୁଜିତ ରାଉଳ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ନିଲମ୍ୱିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।
ଉଭୟ ବର୍ତ୍ତମାନ ଗିରଫ ହୋଇ ଜେଲରେ ଅଛନ୍ତି । ନିୟମାନୁଯାୟୀ, ଜଣେ ସରକାରୀ କର୍ମଚାରୀ ଜେଲରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଲେ ଚାକିରୀରୁ ନିଲମ୍ବିତ ହେବେ ।
ସୁଜିତ ରାଉଳଙ୍କ ବିରୋଧରେ ଅଭିଯୋଗ
ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିହାରୀ କଏଦୀ ଫେରାର ହେବା ମାମଲାରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି । ବର୍ତ୍ତମାନ ସେ ଗିରଫ ହୋଇ ଜେଲରେ ଅଛନ୍ତି । ଚଳିତ ମାସ ୨୦ ତାରିଖରେ, ସରକାରୀ ରେକର୍ଡ ଓ ଜେଲ୍ ମିନିଟ୍ ବୁକରେ ଜାଲିଆତି ତଥା ବିହାରୀ କଏଦୀ ଫେରାର ଘଟଣାରେ ତାଙ୍କୁ ଗିରଫ କରାଯାଇଛି ।
୨୦୨୫ ଅକ୍ଟୋବର ୨ ତାରିଖରେ ଚୌଦ୍ୱାର ଜେଲରୁ ବିହାରର ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ଜେଲରୁ କଏଦୀ ଫେରାର ହେବା ଦିନ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ନିଜେ ଗେଟରେ ଉପସ୍ଥିତ ନଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଜେଲ୍ ଗେଟ ରେଜିଷ୍ଟରରେ ସେଦିନ ନିଜକୁ ଉପସ୍ଥିତ ଦେଖାଇବାକୁ ଚେଷ୍ଟା କରିଥିଲେ । ସେ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶଙ୍କ ଦସ୍ତଖତ ଜାଲିଆତି କରି ନକଲି ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଏତଲା ଦେଇଥିଲେ ।
ମହିଳା ସହକର୍ମୀଙ୍କୁ ଅସଦାଚରଣ
ସେହିପରି ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ଗିରଫ ହୋଇଛନ୍ତି । ଗତ ୧୮ ତାରିଖରେ ସହିଦ ନଗର ଥାନା ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ସେ ରାତି ଅଧିରେ ଜଣେ ମହିଳା କର୍ମଚାରୀଙ୍କ ଘରେ ଭିତରେ ଜୋର ଜବରଦସ୍ତି ପଶି ଦୁର୍ବ୍ୟବହାର କରିବା ସହିତ ହଙ୍ଗାମା କରିଥିବାର ଅଭିଯୋଗ ହୋଇଥିଲା ।