ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ମଧ୍ୟରାତ୍ରରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିଛି । ପ୍ରାୟ ତିନି ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୧୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଆଗାମୀ ଦୁଇ ଧରି ଲଗାଣ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାବେଳେ ଏକାଧିକ ପୋଲ ମଧ୍ୟ ବୁଡ଼ି ଥିବାର ସୂଚନା ରହିଛି । ଅଧିକାଂଶ ସ୍ଥାନରେ ପବନ ଯୋଗୁଁ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ସେହିପରି କନ୍ଧମାଳ ଓ ଗଜପତିକୁ ମଧ୍ୟ ଭୂସ୍ଖଳନର ଭୟ ରହିଛି । ତେଣୁ ସତର୍କ ରହିବାକୁ ପାଣିପାଗ ପରାମର୍ଶ ଦେଇଛି ।
ଏହି ଅବପାତ ଯୋଗୁ ଆଜି ଏବଂ ଆସନ୍ତା କାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଓ ୨୫ ତାରିଖ ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।
ଏହି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗିରରେ ୧ଟି ଟିମ୍ ମୁତୟନ ହୋଇଛି। ଏହା ବ୍ୟତୀତ ଗଞ୍ଜାମର ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍ର ୯ଟି ଟିମ୍ ରିଜର୍ଭ ରଖାଯାଇଛି।
ରେଡ୍ ଆଲର୍ଟରେ ଚାରି ଜିଲ୍ଲା
ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଅନ୍ୟପକ୍ଷେ ବରଗଡ଼, ସୋନପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସେହିପରି ଆସନ୍ତାକାଲି ପାଇଁ କେବଳ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ସେହିପରି ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ କୌଣସି ବର୍ଷା ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶାରେ ବର୍ଷା କମିବା ସହିତ ପାଗ ଶୁଖିଲା ରହିବ ।