ଭୁବନେଶ୍ୱର: ଆଜି ମଧ୍ୟ ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଯୋଗୁଁ ଧୋଇ ଯାଇଛି ମୌସୁମୀ ଅଧିବେଶନର ତୃତୀୟ ଦିନ । ଅପରାହ୍ନ୪ଟା ଯାଏ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଥିଲେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖୁଥିବାବେଳେ ବିରୋଧୀ ହଙ୍ଗାମା କରିଛନ୍ତି । ଗତ ଦୁଇ ଦିନ ହେବ ବିଜେଡ଼ି କେବଳ ପାଠ୍ୟ ପୁସ୍ତକୁ ପ୍ରସଙ୍ଗ କରିଥିବାବେଳେ ଆଜି ଏମଏମଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ନେଇ କଂଗ୍ରେସ ସ୍ୱରରେ ସ୍ୱର ମିଳାଇ ଥିଲା । ସେହିପରି କଂଗ୍ରେସ ମଧ୍ୟ ଏମ୍ଏମଡିଆର ସଂଶୋଧନ ଆଇନ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ । କିଛି ବିରୋଧୀ ଦଳ ସଦସ୍ୟ ରିପୋର୍ଟର୍ସ ଟେବୁଲ ଉପରେ ଚଢ଼ି ଯାଇଥିଲେ । ଆଉ କିଛି ସଦସ୍ୟମାନେ ବାଚସ୍ପତି ପୋଡ଼ିୟମଙ୍କୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଶେଷରେ ବାଧ୍ୟ ହୋଇ ଉପ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ଆଲୋଚନା କରିବା ଉଚିତ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ଯେପର୍ଯ୍ୟନ୍ତ ବାଚସ୍ପତି ଆଲୋଚନା ପାଇଁ ନ ଡାକିଛନ୍ତି ସେପର୍ଯ୍ୟନ୍ତ ଗୃହ ଚଳାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।