ବରଗଡ଼: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ୩୦୦ ପ୍ରତିଶତରୁ ଅଧିକ ସମ୍ପତ୍ତି । ଏଭଳି ଜମିଦାର ପିଇଓଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ମଧ୍ୟ ଟେରା ହୋଇଯାଇଛି । ବରଗଡ଼ ଜିଲ୍ଲା ଗାଏସିଲଟ୍ ବ୍ଲକ୍ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରାଙ୍କୁ ଭିଜିଲାନ୍ସ ଆୟ ବର୍ହଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ କରିଛି ।
ଗତକାଲି ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ୬ଟି ଠିକଣାରେ ଏକକାଳୀନ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୩ ଲକ୍ଷ ୫ ହଜାର ୬୩୭ ନଗଦ ରାଶି ଜବତ ମିଳିଥିଲା । ସେହିପରି ରାଜମହଲ ଭଳି ବାସଭବନ, ଗୋଦାମ ଗୃହ, ମାର୍କେଟ୍ କମ୍ଲେକ୍ସ ଇତ୍ୟାଦି ଠାବ କରାଯାଇଛି । ହଜାର ହଜାର ବର୍ଗଫୁଟ ଜମିରେ ରହିଛି କୋଠା । ଗାଏସିଲଟ କନ୍ଦାଗାଡ଼ରେ ଥିବ ୬୫୦୦ ବର୍ଗ ଫୁଟ୍ ଜମିରେ ୨ ମହଲା ବାସଭବନ, ୨୪୦୦ ବର୍ଗଫୁଟ ଜମିରେ ଗୋଟିଏ ମାର୍କେଟ କଂପଲେକ୍ସ, ୧୫୦୦ ବର୍ଗଫୁଟରେ ଗୋଟିଏ ଗୋଦାମ ଘର, ୮୦୦୦ ବର୍ଗଫୁଟ ଜମିରେ ରହିଛି ନିର୍ମାଣାଧୀନ ୪ ମହଲା କୋଠା ରହିଛି । ସେହିପରି ଗାଏସିଲେଟ୍ ଏବଂ କନ୍ଦାଗଡ଼ାରେ ମୋଟ ୩୫ଟି ପ୍ଲଟ୍ ରହିଛି । ଖାଲି ସେତିକି ନୁହେଁ ଚଢ଼ଉ ବେଳେ ପିଇଓଙ୍କର ବୋଲେରୋ ଗାଡ଼ି, ଟ୍ରାକ୍ଟର୍ ଓ ୪ଟି ଦୁଇ ଚକିଆ ଯାନ ମିଳିଛି । ଏହା ସହିତ ୩ ଲକ୍ଷ ୭୦ ହଜାର ଟଙ୍କାର ସୁନା ଅଳଙ୍କାର ଓ ଘରକରଣା ଜିନିଷ ମିଳିଛି ।
ସମ୍ପତ୍ତିର ଆକଳନ ବେଳେ ତାଙ୍କ ଆୟ ଠାରୁ ସମ୍ପତ୍ତିର ମୂଲ୍ୟ ୩୦୦ ପ୍ରତିଶତ ଅଧିକ ଥିବା ଜଣାପଡ଼ିଛି । ଶ୍ରୀ ବେହେରା ୧୯୯୪ ମସିହା ଜୁଲାଇ ମାସରେ ମାସିକ ୫୦୦ ଟଙ୍କା ପ୍ରାରମ୍ଭିକ ଦରମାରେ ଗାଏସିଲେଟ୍ ଗ୍ରାମ ପଞ୍ଚାୟତର ସମ୍ପାଦକ ଭାବରେ ଯୋଗ ଦେଇଥିଲେ । ୨୦୦୯ ରେ ସେ ଭିଏଲଡବ୍ଲ୍ୟୁ ପଦବୀକୁ ପଦୋନ୍ନତି ପାଇଥିଲେ । ୨୦୧୨ ମସିହାରେ ଏହି ପଦବୀର ନାମ ପରିବର୍ତ୍ତନ କରାଯାଇ ପିଇଓ କରାଯାଇଥିଲା । ସେ ବର୍ତ୍ତମାନ ସେ କାଟାଭାଲ ଗ୍ରାମ ପଞ୍ଚାୟତରେ ପିଇଓ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ଫିରିଙ୍ଗିମାଲ ଓ ଗୌରେନମୁଣ୍ଡା ପଞ୍ଚାୟତର ପିଇଓ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ସେ ବରଗଡ଼ ଜିଲ୍ଲାରେ ୩୦ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଆସୁଥିବାବେଳେ ତାଙ୍କର ବର୍ତ୍ତମାନର ଦରମା ୫୨ ହଜରା ୩୨୦ ଟଙ୍କା ରହିଛି ।
ଭିଜିଲାନ୍ସ ଅଧିକାରୀ ମିଳିଥିବା ସମ୍ପତ୍ତିର ଉତ୍ସ ସମ୍ପର୍କରେ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେବାରେ ଅସର୍ମଥ ହେବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏହା ପରେ ତାଙ୍କୁ ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯିବ ।