ତାମିଲନାଡୁର ସଲେମ୍ ସହରରେ ସୂଟକେସ୍ ହତ୍ୟାକାଣ୍ଡର ପାଞ୍ଚ ବର୍ଷ ପରେ ଏକ ସାଂଘାତିକ ଖୁଲାସା ହୋଇଛି। ସଲେମ୍ ସହର ପୋଲିସ୍ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି। ମୃତକ ଏବଂ ଅଭିଯୁକ୍ତ ମହିଳା ଦୁହେଁ ବାଂଲାଦେଶର ଅଟନ୍ତି ଏବଂ ଅବୈଧ ଭାବେ ଭାରତରେ ପଶି ବିୟୁଟି ପାର୍ଲର ଓ ମସାଜ୍ ପାର୍ଲର ନାମରେ ଅନୈତିକ ଧନ୍ଦା କରୁଥିଲେ। ପୋଲିସ୍ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି।
ପୋଲିସ୍ ଅନୁଯାୟୀ, ୨୦୨୧ ମସିହାରେ ସଲେମ୍ ସହରରେ ଜଣେ ବିୟୁଟି ପାର୍ଲର ମାଲିକାଣୀଙ୍କ ହତ୍ୟା ହୋଇଥିଲା। କାଣ୍ଡ ଭିଆଇବା ପରେ ହତ୍ୟାକାରୀମାନେ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲେ ଏବଂ ସୂଟକେସ୍ରେ ପୂରାଇ ବାହାରେ ଫିଙ୍ଗି ଦେଇଥିଲେ। ପୋଲିସ୍ ମାମଲାର ଯାଞ୍ଚ କଲା। ଏହି ସମୟରେ ମୃତ ମହିଳାଙ୍କ ପରିଚୟ ବାଂଲାଦେଶର ରହୁଥିବା ତେଜମଣ୍ଡଳ ଭାବେ ହୋଇଥିଲା। ଜଣାପଡ଼ିଥିଲା ଯେ ସେ ବିୟୁଟି ପାର୍ଲର ଏବଂ ମସାଜ୍ ପାର୍ଲର ଆଢୁଆଳରେ ଅନୈତିକ କାମ କରୁଥିଲେ। ଏଥିପାଇଁ ସେ ମୁଖ୍ୟ ଅଭିଯୁକ୍ତ ନିଶି ସମେତ କିଛି ବାଂଲାଦେଶୀ ମହିଳାଙ୍କୁ ମଧ୍ୟ କାମରେ ରଖିଥିଲେ।
ସାମ୍ନାକୁ ଆସିଲା ଅପରାଧର କାହାଣୀ
ପୋଲିସ୍ ଅନୁଯାୟୀ, ତେଜମଣ୍ଡଳ ଏଠାରେ ସଲେମ୍ର ଅଥୁର ବାସିନ୍ଦା ପ୍ରତାପଙ୍କ ସହ ମିଶି ବିୟୁଟି ପାର୍ଲର ଚଲାଉଥିଲେ। ଦୁହେଁ ଏଠାରେ କୁମାର ସାମୀପତ୍ତୀରେ ଭଡ଼ା ଘର ନେଇ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ। ପୋଲିସ୍ର ଯାଞ୍ଚରୁ ଜଣାପଡ଼ିଲା ଯେ କିଛି ସମୟ ପରେ ପ୍ରତାପ ଏଠାରେ କାମ କରୁଥିବା ବାଂଲାଦେଶୀ ମହିଳା ନିଶି, ଶୀଲା, ଓଶୀଙ୍କର ମଧ୍ୟ ଯୌନ ଶୋଷଣ କରୁଥିଲେ। ଖାସ୍ କରି ନିଶିଙ୍କ ସହ ତାଙ୍କର ନିକଟତରତା ଅଧିକ ଥିଲା। ଅଭିଯୋଗ ହୋଇଛି ଯେ ଏହି ମହିଳାମାନଙ୍କୁ ଉଚିତ୍ ଦରମା ମଧ୍ୟ ଦିଆଯାଉ ନଥିଲା।
ହତ୍ୟା ଷଡ଼ଯନ୍ତ୍ର
ପୋଲିସ୍ ଅନୁଯାୟୀ, ନିଶିଙ୍କ ସ୍ୱାମୀ ଲୁବ୍ଲୁ ଏବଂ ତେଜମଣ୍ଡଳଙ୍କ ମଧ୍ୟରେ ଅବୈଧ ସମ୍ପର୍କ ବିଷୟରେ ଜାଣିବା ପରେ ନିଶି ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଲେ। ତା’ପରେ ଅକ୍ଟୋବର ୨୦୨୧ ରେ ଦିନେ ଯେତେବେଳେ ପ୍ରତାପ ଚେନ୍ନାଇ ଯାଇଥିଲେ, ନିଶି ନିଜର ଚାରି ସାଥୀଙ୍କ ସହ ମିଶି ତେଜମଣ୍ଡଳଙ୍କ ତଣ୍ଟି ଚିପି ହତ୍ୟା କଲେ ଏବଂ ମୃତଦେହକୁ ଖଣ୍ଡ ଖଣ୍ଡ କରି ଟ୍ରଲି ସୂଟକେସ୍ରେ ପ୍ୟାକ୍ କରିଦେଲେ। ଏହାପରେ ଅଭିଯୁକ୍ତମାନେ ଘରୁ ନଗଦ ଟଙ୍କା ଏବଂ ଗହଣା ଆଦି ସାଉଁଟି ବାଂଲାଦେଶ ଫେରାର୍ ହୋଇଯାଇଥିଲେ। ଏପଟେ, ତେଜମଣ୍ଡଳଙ୍କ ମୃତଦେହ ପ୍ରାୟ ୭ ମାସ ପର୍ଯ୍ୟନ୍ତ ଶବଗୃହ (Mortuary) ରେ ରଖାଯାଇଥିଲା। ଯେତେବେଳେ କେହି ଦାବି କଲେନାହିଁ, ପୋଲିସ୍ ଶେଷକୃତ୍ୟ ସମ୍ପାଦନ କରିଥିଲା।
ଦ୍ୱିତୀୟ ଥର ଭାରତ ଫେରିଲେ ନିଶି
ପୋଲିସ୍ ଅନୁଯାୟୀ, ଏହି ଘଟଣା ପରେ ନିଶି କିଛି ଦିନ ତ ବାଂଲାଦେଶରେ ରହିଲେ, କିନ୍ତୁ ପୁଣି ଥରେ ଫେରିଆସି ପୁଣେରେ ରହିଲେ। ଏଠାରେ ପରିଚୟ ବଦଳାଇ ସେ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କୁ ବିବାହ ମଧ୍ୟ କଲେ ଏବଂ ଦୁହେଁ ସାଙ୍ଗହୋଇ ରହିବାକୁ ଲାଗିଲେ। ଏହି ମଧ୍ୟରେ ଗୁପ୍ତଚରଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ଫିଲହାଲ୍ ତାଙ୍କୁ ସଲେମ୍ କେନ୍ଦ୍ରୀୟ କାରାଗାରରେ ରଖାଯାଇଛି।