ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ସାଧାରଣ ପରିଷଦ (UNGA) ର ୮୧ତମ ଅଧିବେଶନରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରଶାସନ କେବଳ କଥାରେ ନୁହେଁ, ବରଂ କୂଟନୈତିକ ଏବଂ ଅର୍ଥନୈତିକ ଚାପ (ଟ୍ୟାରିଫ୍) ପ୍ରୟୋଗ କରି ବିଶ୍ୱବ୍ୟାପୀ ୮ଟି ପ୍ରମୁଖ ଯୁଦ୍ଧକୁ ବନ୍ଦ କରିବାରେ ସଫଳ ହୋଇଛି। ଏହି ସମୟରେ ସେ ଇରାନକୁ କଡ଼ା ସମାଲୋଚନା କରିବା ସହ ଏକପ୍ରକାର ଅଲ୍ଟିମେଟମ୍ ମଧ୍ୟ ଦେଇଛନ୍ତି।
ଇରାନକୁ ଟ୍ରମ୍ପଙ୍କ ଦୁଇଟି ବିକଳ୍ପ
ଜାତିସଂଘ ମଞ୍ଚରୁ ଇରାନକୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯେ ଆମେରିକା ସାମ୍ନାରେ ବର୍ତ୍ତମାନ ଦୁଇଟି ରାସ୍ତା ରହିଛିଗୋଟିଏ ହେଉଛି ଇରାନ ସହ ବୁଝାମଣା କରିବା ଏବଂ ଅନ୍ୟଟି ହେଉଛି ତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବା। ଆମେରିକା ଇରାନକୁ ଆଉ ଅଧିକ ନିରୀହ ଲୋକଙ୍କୁ ମାରିବାର ସୁଯୋଗ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଏହି କଡ଼ା ବକ୍ତବ୍ୟ ସମୟରେ ସେଠାରେ ଉପସ୍ଥିତ ଥିବା ତେହେରାନର ପ୍ରତିନିଧି ଦଳ ସଭାସ୍ଥଳରୁ ବାହାରି ଯାଇଥିଲେ।
ଇରାନକୁ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ଅଲଗା କରିବା ପାଇଁ ଟ୍ରମ୍ପ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଆହ୍ୱାନ କରିଛନ୍ତି। ତେହେରାନ ଯେପର୍ଯ୍ୟନ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବନ୍ଦ ନ କରିଛି ଏବଂ ପରମାଣୁ କାର୍ଯ୍ୟକ୍ରମରୁ ଓହରି ନାହିଁ, ସେତେବେଳେ ଯାଏଁ ତାକୁ ଏକଘରକିଆ କରି ରଖିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।
ଗାଜା ଯୁଦ୍ଧ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ
ଭାଷଣ ସମୟରେ ଟ୍ରମ୍ପ ଗାଜା ସଂଘର୍ଷ, ଭାରତ-ପାକିସ୍ତାନ, ଆର୍ମେନିଆ-ଅଜରବୈଜାନ ଏବଂ ଭେନେଜୁଏଲା ସମେତ ବିଭିନ୍ନ ବିଶ୍ୱବ୍ୟାପୀ ବିବାଦର ପ୍ରସଙ୍ଗ ଉଠାଇଥିଲେ। ସେ ଦାବି କରିଛନ୍ତି ଯେ ଆମେରିକା ଗାଜା ଯୁଦ୍ଧକୁ ଶେଷ କରି ହଜାର ହଜାର ଜୀବନ ବଞ୍ଚାଇ ପାରିଛି ଏବଂ ବନ୍ଦୀମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିଛି।
ଆମେରିକାର ଆର୍ଥିକ ଅଭିବୃଦ୍ଧି ଏବଂ ସାମରିକ ଶକ୍ତିକୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ ଅନ୍ୟମାନେ କେବଳ ଶାନ୍ତିର ବାର୍ତ୍ତା ଦେଇଛନ୍ତି, ମାତ୍ର ସେ ନିଜେ କାର୍ଯ୍ୟ କରି ଶାନ୍ତିକୁ ବାସ୍ତବ ରୂପ ଦେଇଛନ୍ତି। ଆମେରିକାର ସୀମା ବର୍ତ୍ତମାନ ଅଧିକ ସୁରକ୍ଷିତ ଏବଂ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।