ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA) ର ୮୧ତମ ଅଧିବେଶନରେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ୍ ଆମେରିକା ଉପରେ କଡ଼ା ବର୍ଷିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଇରାନକୁ 'ଆତଙ୍କବାଦୀ' ବୋଲି କୁହାଯାଇଥିବା ଅଭିଯୋଗର ଜବାବ ଦେଇ ଇରାନ ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆତଙ୍କବାଦ ସୃଷ୍ଟି କରିନୁ, ବରଂ ନିଜେ ଦୀର୍ଘ ଦିନ ଧରି ଏହାର ଶିକାର ହୋଇ ଆସିଛୁ।
ସମ୍ବୋଧନ ସମୟରେ ଇରାନ ରାଷ୍ଟ୍ରପତି ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ସ୍କୁଲ ପିଲା ଏବଂ ନାଗରିକମାନଙ୍କର ମର୍ମନ୍ତୁଦ ଫଟୋ ମଞ୍ଚରେ ପ୍ରଦର୍ଶନ କରିଥିଲେ। ସେ ମିନାବ ସ୍କୁଲ ଉପରେ ହୋଇଥିବା ବୋମାବର୍ଷା ଏବଂ ସେଠାରେ ମୃତ୍ୟୁବରଣ କରିଥିବା ଶିଶୁମାନଙ୍କର କରୁଣ ଚିତ୍ର ଦେଖାଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ।
ପେଜେଶ୍କିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦୁଇ ଶତାବ୍ଦୀ ଭିତରେ ଇରାନ କୌଣସି ଦେଶ କିମ୍ବା କ୍ଷେତ୍ର ଉପରେ ଆକ୍ରମଣ କରିନାହିଁ। ମାତ୍ର ନିଜର ଦେଶ ଓ ନାଗରିକଙ୍କୁ ରକ୍ଷା କରିବା ପାଇଁ ସବୁବେଳେ ଦୃଢ଼ତା ସହ ଆମେ ଆତ୍ମରକ୍ଷା କରିଛୁ। ଗାଜାରେ ୮୦ ହଜାରରୁ ଅଧିକ ନିରୀହଙ୍କ ମୃତ୍ୟୁ ହୋଇଥିବା ପ୍ରସଙ୍ଗ ଉଠାଇ ସେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନରସଂହ କରାଯାଉଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ଶାନ୍ତିପୂର୍ଣ୍ଣ ପରମାଣୁ ପ୍ରଯୁକ୍ତିବିଦ୍ୟା ଆମର ଜନ୍ମଗତ ଅଧିକାର ବୋଲି ସ୍ପଷ୍ଟ କରି ସେ କହିଛନ୍ତି ଯେ, ଦେଶର ସୁରକ୍ଷା ଏବଂ ପରମାଣୁ କାର୍ଯ୍ୟକ୍ରମ ପାଇଁ ଆମେ କାହାର ଅନୁମତି ଲୋଡ଼ିବୁ ନାହିଁ। ଇରାନ କେବେହେଲେ ଯୁଦ୍ଧକୁ ଭୟ କରେ ନାହିଁ, କିନ୍ତୁ ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ସମସ୍ୟାର ସମଧାନ ଚାହେଁ ବୋଲି ସେ ମତ ଦେଇଛନ୍ତି।