ମୁମ୍ବାଇ: ଆଇଆଇଟି ବମ୍ବେର ବିଟେକ ଛାତ୍ର ସାହିଲ ୱାକୋଡେଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପରୀକ୍ଷା କେନ୍ଦ୍ର ଭିତରର ଏକ ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ସାହିଲଙ୍କ ହାତରେ ମୋବାଇଲ୍ ଫୋନ୍ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ଦ୍ୱିପ୍ରହର ପ୍ରାୟ ୧୨:୩୦ ରୁ ୧୨:୪୫ ମଧ୍ୟରେ ଏହି ସିସିଟିଭି ଫୁଟେଜ୍ ରେକର୍ଡ ହୋଇଛି। ପରୀକ୍ଷା ଶେଷ ହେବାକୁ ଆଉ ମାତ୍ର ୧୫ ମିନିଟ୍ ବାକିଥିବା ବେଳେ ସାହିଲ ତଳକୁ ମୁହଁ କରି ପକେଟରୁ କୌଣସି ଜିନିଷ ବାହାର କରି ଦେଖୁଥିବାର ନଜର ଆସିଛନ୍ତି। ଏହି ସମୟରେ ପରୀକ୍ଷା ହଲ୍ରେ ଦାୟିତ୍ୱରେ ଥିବା ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲା ତାଙ୍କ ପାଖକୁ ଯାଇ ପଚରାଉଚରା କରିଥିଲେ।
ଏହାପରେ ପ୍ରଫେସର୍ ଜଣକ ସାହିଲଙ୍କୁ ଅନ୍ୟ ଛାତ୍ରମାନଙ୍କଠାରୁ ଅଲଗା କରି ଅନ୍ୟତ୍ର ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ପରୀକ୍ଷା ହଲ୍ରେ ସେମାନଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା ଏବଂ ପରେ ଘଟଣା କିପରି ମୋଡ଼ ନେଇଥିଲା, ସେନେଇ ଏବେ ଯାଞ୍ଚ ଚାଲିଛି। ପୁଲିସର କହିବାନୁଯାୟୀ, ପରୀକ୍ଷା ହଲ୍ରୁ ବାହାରି ସାହିଲ ଦ୍ୱିପ୍ରହର ପ୍ରାୟ ୧:୨୫ ମିନିଟ୍ରେ ହଷ୍ଟେଲ୍ ପହଞ୍ଚିଥିଲେ ଏବଂ ଏହାପରେ ସେ କକ୍ଷରୁ ବାହାରକୁ ଆସୁଥିବାର ଆଉ ନଜର ଆସି ନଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚର ଟିମ୍ ହଷ୍ଟେଲ୍ ଏବଂ କ୍ୟାମ୍ପସର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେଦିନର ଘଟଣାକ୍ରମ ପ୍ରସ୍ତୁତ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ୨୦ ବର୍ଷୀୟ ବିଟେକ ଛାତ୍ର ତଥା ଯାବତମାଳ ଜିଲ୍ଲାର ନିବାସୀ ସାହିଲ ୱାକୋଡେ ଗତ ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ପାୱାଇ କ୍ୟାମ୍ପସସ୍ଥିତ ହଷ୍ଟେଲ-୪ ରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ମଧ୍ୟାବଧି ପରୀକ୍ଷା ସମୟରେ ମୋବାଇଲ୍ ବ୍ୟବହାର କରୁଥିବା ଅଭିଯୋଗରେ ଧରାପଡ଼ିବାର କିଛି ଘଣ୍ଟା ପରେ ଏହି ଅଘଟଣ ଘଟିଥିଲା। ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲା ସଂସ୍ଥାନର ନିୟମ ଅନୁଯାୟୀ ଏନେଇ ଅଭିଯୋଗ ଦେଇଥିଲେ।
Also Read: UNGA: ଆମେରିକାକୁ ଇରାନ ରାଷ୍ଟ୍ରପତିଙ୍କ କଡ଼ା ଜବାବ; କହିଲେ, "ଆମେ ଆତଙ୍କବାଦ ସୃଷ୍ଟି କରିନୁ, ବରଂ ଶିକାର ହୋଇଛୁ"