କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟରେ ହୋଇଥିବା ନିର୍ବାଚନକୁ ବାତିଲ କରି ପୁନଃ ନିର୍ବାଚନ କରାଇବା ପାଇଁ ଦାବି କରିବା ସହ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମମତା ବାନାର୍ଜୀ।
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଏବଂ ପକ୍ଷପାତିତା କରାଯାଇଛି। ନିର୍ବାଚନ କମିଶନ ସ୍ୱାଧୀନ ଭାବେ କାମ ନକରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ବୋଲି ସେ ଦାବି କରିଛନ୍ତି। ଏହି କାରଣରୁ ନିର୍ବାଚନର ସ୍ୱଚ୍ଛତା ସମ୍ପୂର୍ଣ୍ଣ କ୍ଷୁଣ୍ଣ ହୋଇଛି, ଯାହା ଗଣତନ୍ତ୍ର ପ୍ରତି ଏକ ବଡ଼ ବିପଦ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିଜର ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବଞ୍ଚାଇବା ପାଇଁ ନିର୍ବାଚନ କମିଶନରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ।
ମମତାଙ୍କ ଏହି ବିସ୍ଫୋରକ ବୟାନ ପରେ ପଶ୍ଚିମବଙ୍ଗରୁ ନେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ପାରଦ ବୃଦ୍ଧି ପାଇଛି। ବିଜେପି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ମମତାଙ୍କ ଏହି ଦାବିକୁ ସମାଲୋଚନା କରିଥିବା ବେଳେ TMC ଏହି ପ୍ରସଙ୍ଗରେ ଆଗାମୀ ଦିନରେ ନିଜର ଆନ୍ଦୋଳନ ଆହୁରି ଜୋରଦାର କରିବ ବୋଲି ସଙ୍କେତ ଦେଇଛି।