ନୂଆଦିଲ୍ଲୀ: ନିର୍ବାଚନ କମିଶନ (ECI)ଙ୍କ ନିରପେକ୍ଷତା ଏବଂ ସ୍ୱାଧୀନତାକୁ ନେଇ ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (CEC) ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାର ଶୁଣାଣି ବେଳେ ଜଷ୍ଟିସ ଦୀପାଙ୍କର ଦତ୍ତା ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି। "ନିର୍ବାଚନ କମିଶନ କେବଳ ସ୍ୱାଧୀନ ହେଲେ ଚଳିବ ନାହିଁ, ବରଂ ସେ ସ୍ୱାଧୀନ ଭାବେ କାମ କରୁଥିବା ଭଳି ଦୃଶ୍ୟମାନ ହେବା ମଧ୍ୟ ନିହାତି ଜରୁରୀ" ବୋଲି ସେ କହିଛନ୍ତି।
ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ଦୀପାଙ୍କର ଦତ୍ତା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଏହି ମାମଲାକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଯିବ କି ନାହିଁ, ସେ ନେଇ ଦ୍ଵିମତ ରାୟ ପ୍ରକାଶ କରିଛନ୍ତି। ଜଷ୍ଟିସ ଦତ୍ତ ମାମଲାର ଶୁଣାଣି ପାଇଁ ବୃହତ୍ତର ପୀଠର ଆବଶ୍ୟକତା ନାହିଁ ବୋଲି କହିଥିବା ବେଳେ ଜଷ୍ଟିସ ଶର୍ମା ଏହାକୁ ବୃହତ୍ତର ପୀଠକୁ ପଠାଇବା ସପକ୍ଷରେ ମତ ଦେଇଥିଲେ। ତେବେ ଶେଷରେ ଏହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ଫାଇଲ ପଠାଯାଇଛି।
ନିଜର ପ୍ରାଥମିକ ନିରୀକ୍ଷଣ ପ୍ରକାଶ କରି ଜଷ୍ଟିସ ଦୀପାଙ୍କର ଦତ୍ତା କହିଛନ୍ତି ଯେ, ୨୦୨୩ରେ ସଂସଦ ଦ୍ୱାରା ପାରିତ ହୋଇଥିବା ଆଇନରେ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇ ତାଙ୍କ ସ୍ଥାନରେ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ରଖାଯାଇଛି। ଏହି କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ରହିଛନ୍ତି, ଯାହାକି କାର୍ଯ୍ୟପାଳିକାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବା 'ଭିଟୋ' କ୍ଷମତା ପ୍ରଦାନ କରୁଛି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ବିରୋଧରେ ଯିବାର ଆଶା କରାଯାଇପାରିବ ନାହିଁ।
ଏକ ରୋଚକ କ୍ରିକେଟ୍ ଉଦାହରଣ ଦେଇ ଜଷ୍ଟିସ ଦତ୍ତା କହିଛନ୍ତି, "ବ୍ୟାଟିଂ କରୁଥିବା ଦଳ ଯଦି ଅମ୍ପାୟାର ଚୟନ କରେ, ତେବେ ସେହି ଅମ୍ପାୟାର ଯେତେ ସଠିକ୍ ନିଷ୍ପତ୍ତି ଦେଲେ ମଧ୍ୟ ତାଙ୍କ ଉପରେ ସବୁବେଳେ ସନ୍ଦେହର କଳାବାଦଲ ରହିବ। ସେହିପରି ଗଣତନ୍ତ୍ରରେ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ହେଉଛି ସମ୍ବିଧାନର ମୂଳ ଢାଞ୍ଚା । ତେଣୁ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ସନ୍ଦେହମୁକ୍ତ ହେବା ଆବଶ୍ୟକ।