ନୂଆଦିଲ୍ଲୀ: ରାମ ମନ୍ଦିର ଦାନ ଚୋରି ମାମଲାରେ ଏସ୍ଆଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ବୁଧବାର ସକାଳେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଅଭିଯୁକ୍ତଙ୍କ ପାଇଁ 'ଡିଫଲ୍ଟ ବେଲ୍' (default bail) ପାଇବାର ସମ୍ଭାବନା ବର୍ତ୍ତମାନ ଶେଷ ହୋଇଯାଇଛି।
ଏହି ଚୋରି ଘଟଣାରେ ପ୍ରାୟ ତିନି ମାସ ଧରି ଜେଲରେ ଥିବା ଅନ୍ୟ ତିନିଜଣ ଅଭିଯୁକ୍ତଙ୍କ ମୁକ୍ତିର ଆଶା ମଙ୍ଗଳବାର ଦିନ ମଉଳି ଯାଇଥିଲା। ଦୁର୍ନୀତି ନିବାରଣ ଆଇନର ସ୍ୱତନ୍ତ୍ର ବିଚାରପତି ରଜତ ବର୍ମା ଜେଲରେ ଥିବା ଅନୁକଳ୍ପ ମିଶ୍ର, କରୁଣେଶ ପାଣ୍ଡେ ଏବଂ ଲବକୁଶ ମିଶ୍ରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ଏହାପୂର୍ବରୁ, ସୋମବାର ଦିନ କୋର୍ଟ ଏହି ସମାନ ମାମଲାରେ ଅବିନାଶ ଶୁକ୍ଳା, ରାମଶଙ୍କର ମିଶ୍ର ଏବଂ ମନୀଷ ଯାଦବଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ବାକି ଥିବା ଦୁଇଜଣ ଅଭିଯୁକ୍ତ ରାମଶଙ୍କର ଯାଦବ ଏବଂ ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବାର ରହିଛି ।
ରାମ ମନ୍ଦିର ଦାନ ଚୋରିର ଘଟଣାରେ ଏସଆଇଟି ସୁପ୍ରିମକୋର୍ଟରେ ସିସିଟିଭି କ୍ୟାମରାରେ କଏଦ୍ ହୋଇଥିବା ୧୦୫ଟି ଚୋରି ଘଟଣାର ପ୍ରମାଣ ଦାଖଲ କରିଛି । ମୋଟ ଆଠ ଜଣଙ୍କ ବିରୁଦ୍ଧରେ ଏକ ଏଫଆଇଆର୍ ରୁଜୁ କରାଯାଇଛି। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁଭାଷ ଶ୍ରୀବାସ୍ତବ ଏବଂ ରାମ ଶଙ୍କର ଯାଦବ ଓରଫ ଟିନୁ ଅନ୍ତର୍ଭୁକ୍ତ । ଅଜଣା ବ୍ୟକ୍ତିଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ଏହି ଅଭିଯୁକ୍ତମାନଙ୍କଠାରୁ ୭୯.୮୫ ଲକ୍ଷ ନଗଦ ଆଦାୟ କରିଛି । ଟ୍ରଷ୍ଟର ଅନୁରୋଧରେ ରାଜ୍ୟ ସରକାର ଜୁନ୍ ୧୩ ତାରିଖରେ ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ତିନି ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ କରିଥିଲେ।