ପାଟନା: ବିହାର ଜାମୁଇ ଜିଲ୍ଲାରେ ରାସ୍ତା ମଝିରେ ନାବାଳିକାକୁ ଅସଦାଚରଣ କରିବା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି । ପୋଲିସ ଗୁଳିଲେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ଆହତ ହୋଇଛି । ତା ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଉ ଜଣେ ଅଭିଯୁକ୍ତ ହରେରାମ ଯାଦବର ମଧ୍ୟ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ନନ୍ଦନ ଯାଦବ ପ୍ରଥମେ ପୋଲିସକୁ ଦେଖି ଗୁଳି ଚଳାଇଥିଲା । ପୋଲିସର ପାଲଟା ଜବାବରେ ନନ୍ଦନ ତଳେ ପଡ଼ିଯାଇଥିଲା । ଯାହା ପରେ ପୋଲିସ ତାକୁ କାବୁ କରିନେଇଥିଲା ।
ଏହି ଘଟଣାରେ ବିହାର ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳ ଆରଜେଡ଼ି ଏବଂ କଂଗ୍ରେସ ବିଜେପି ସରକାରଙ୍କୁ ଘେରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କର ଇସ୍ତଫା ଦାବି କରିଛନ୍ତି । ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ପାଟନାରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ସାଂସଦ ପପ୍ପୁ ଯାଦବ ପ୍ରତିକ୍ରିୟା ଦେଇ ମାମଲାର ତ୍ୱରିତ ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି । ସେହିପରି ତେଜସ୍ୱୀ ଯାଦବ ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା କହିଛନ୍ତି । ସେ ସମ୍ରାଟ ଚୌଧୁରୀଙ୍କର ଏକ ପୁରୁଣା ବୟାନକୁ ଆଧାର କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚୌଧୁରୀ ପୂର୍ବରୁ କହିଥିଲେ ଯେ ଯଦି ରାଜ୍ୟ କିଛି ଏପରି ଘଟଣା ଘଟେ ତେବେ ସେ ଇସ୍ତଫା ଦେଇଦେବେ । ତେଣୁ ସେ ଇସ୍ତଫା ଦେବା ଉଚିତ ବୋଲି ତେଜସ୍ୱୀ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଝୀ ତେଜସ୍ୱୀଙ୍କ ବୟାନର ଜବାବ ରଖି କହିଛନ୍ତି ଯେ ଆମେ ଯାହା କଥାରେ କାମରେ କରିକି ଦେଖାଉ । ସେ ମଧ୍ୟ ତେଜସ୍ୱୀଙ୍କର ପୁରୁଣା ବୟାନକୁ ସାମ୍ନାକୁ ଆଣିଛନ୍ତି । ତେଜସ୍ୱୀ କହିଥିଲେ ଯେ ବିହାର ପ୍ରତ୍ୟେକ ‘ଯାଦବ’ ତାଙ୍କ ଭାଇ । ଆଉ ସେହି ଯାଦବଙ୍କ ମଧ୍ୟରୁ ଜଣେ ଭାଇ ନାବାଳିକାକୁ ଅସଦାଚରଣ କରିବା ସହିତ ଭିଡ଼ିଓ ବନାଇଲେ, କେବଳ ସରକାରଙ୍କୁ ବଦନାମ କରିବାକୁ । ଏବେ ତେଜସ୍ୱୀ ଯାଦବ କହିବେ ନିଶ୍ଚିତ, “ଦେଖ ସମ୍ରାଟ ଚୌଧୁରୀ ଆମ ଭାଇଙ୍କୁ ଗୁଳି ମାରିଲେ”। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ତଥାପି ତେଜସ୍ୱୀଙ୍କୁ ପରାମର୍ଶ ଦେବି ଯେ ସେ ନିଜ ଭାଇମାନଙ୍କୁ ସତର୍କ କରାଇଦିଅନ୍ତୁ; ନଚେତ୍ ସମ୍ରାଟଙ୍କ ସରକାର କାହାକୁ ବି ଛାଡ଼ିବେ ନାହିଁ।
ଉଲ୍ଲେଖ ଯୋଗ୍ୟ, ସେପ୍ଟେମ୍ବର ୧୯ ତାରିଖରେ, ନାବାଳିକା ଜଣକ ତାଙ୍କ ସାଙ୍ଗଙ୍କ ସହିତ ଫଟୋ ଉଠାଇବାକୁ ଯାଇଥିବାବେଳେ କିଛି ଅସାମାଜିକ ଯୁବକ ତାଙ୍କୁ ଅସଦାଚରଣ କରିବା ସହିତ ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରିଥିଲେ । ଏହା ପରେ ସମଗ୍ର ବିହାରରେ ଉତ୍ତେଜନା ପ୍ରକାଶ ପାଇଛି । ଏଥିପାଇଁ ଏସ୍ଆଇଟି ଟିମ୍ ଗଠନ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲା ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।