ଭୁବନେଶ୍ୱର: ଓଡ଼ିଶାର ଜଙ୍ଗଲ ପାଇଁ ଚିନ୍ତା ବଢ଼ାଇଛି ବନାଗ୍ନି। ୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୭୩,୪୧୮ଟି ଜଙ୍ଗଲ ନିଆଁ ଘଟଣା ରିପୋର୍ଟ ହୋଇଥିବା ବେଳେ ଏଥିରେ ୧୧,୭୩୨.୫୬୧ ହେକ୍ଟର ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ତଥ୍ୟ ଦେଇଛନ୍ତି।
ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଗତ ୩ ବର୍ଷରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏହି ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବର୍ତ୍ତମାନ ରାଜ୍ୟରେ ୧୬,୨୪୫ଟି ବନ ସୁରକ୍ଷା ସମିତି କାର୍ଯ୍ୟ କରୁଛି।
ବିଧାନସଭାରେ ଦିଆଯାଇଥିବା ତଥ୍ୟରେ CAMPA ପାଣ୍ଠିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ୨୦୨୬ ଅଗଷ୍ଟ ୨୫ ସୁଦ୍ଧା ନ୍ୟାସନାଲ ଅଥରିଟିରୁ ଓଡ଼ିଶା ୧୦,୨୨୯.୫୨ କୋଟି ଟଙ୍କା ପାଇଛି। ୨୦୨୬ ସେପ୍ଟେମ୍ବର ୧୦ ସୁଦ୍ଧା ଏହା ଉପରେ ୧,୬୭୩.୬୪ କୋଟି ଟଙ୍କା ସୁଧ ମିଳିଥିବା ବେଳେ ସୁଧ ସହ ମୋଟ ରାଶି ୧୧,୯୦୩.୧୬ କୋଟି ଟଙ୍କା ହୋଇଛି।
ଏଥିରୁ ବିଭିନ୍ନ Annual Plan of Operations ଅଧୀନରେ ୬,୮୮୧.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାସହ ୪,୯୩୯.୬୦ କୋଟି ଟଙ୍କା ATB ଓ ସରକାରୀ ଋଣରେ ନିବେଶ କରାଯାଇଥିବା ବେଳେ ୮୨.୩୩ କୋଟି ଟଙ୍କା ବଳକା ରହିଥିବା ମନ୍ତ୍ରୀଙ୍କ ଉତ୍ତରରେ ଦର୍ଶାଯାଇଛି।
ଅନ୍ୟପଟେ, ଗତ ୫ ବର୍ଷରେ ଅର୍ଥାତ୍ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ୧୨,୭୯୪.୪୪୮ ହେକ୍ଟର ଜଙ୍ଗଲ ଜମି ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ଡାଇଭର୍ଟ ହୋଇଛି। ଏହା ବଦଳରେ ୨୩,୩୯୨.୩୩୭ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେଥିରୁ ୨୦୨୫-୨୬ ସୁଦ୍ଧା ୧୦,୧୫୫.୦୮୯ ହେକ୍ଟରରେ କ୍ଷତିପୂରକ ବନୀକରଣ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ତଥ୍ୟ ରାଜ୍ୟରେ ଜଙ୍ଗଲ ସୁରକ୍ଷା, ବନାଗ୍ନି ନିୟନ୍ତ୍ରଣ ଓ କ୍ଷତିପୂରକ ବନୀକରଣକୁ ନେଇ ଚାଲିଥିବା ପ୍ରୟାସର ପରିମାଣକୁ ସ୍ପଷ୍ଟ କରୁଛି।