ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଇନ୍ଫୋସିଟି ଛକରେ ମଙ୍ଗଳବାର ଏକ ମିନି ଟ୍ରକ୍ର ବେପରୁଆ ଚାଳନା ଯୋଗୁଁ ଅଘଟଣ ଘଟିଛି। ନିୟନ୍ତ୍ରଣ ହରାଇଥିବା ମିନି ଟ୍ରକ୍ଟି ଯମଦୂତ ଭଳି ମାଡ଼ି ଆସି ରାସ୍ତା କଡ଼ରେ ପାର୍କିଂ ଥିବା ବାଇକ୍, ସ୍କୁଟି ଓ ଅଟୋ ସମେତ ପ୍ରାୟ ୫ଟି ଗାଡ଼ିକୁ ଧକ୍କା ଦେଇଥିଲା। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମିନି ଟ୍ରକ୍ଟି ପ୍ରଥମେ ଜଣେ ଜମାଟୋ ଡେଲିଭରି ବୟଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଏହାପରେ ଲଗାତାର ଏକାଧିକ ବାଇକ୍, ଜଣେ ଯୁବତୀଙ୍କ ସ୍କୁଟି, ଠେଲାଗାଡ଼ି ଏବଂ ଦୁଇଟି ଅଟୋ ଉପରେ ଚଢ଼ିଯାଇଥିଲା। ଧକ୍କାର ଜୋର ଏତେ ଅଧିକ ଥିଲା ଯେ ଗୋଟିଏ ସ୍କୁଟି, ଦୁଇଟି ବାଇକ୍ ଓ ଏକ ଅଟୋ ଟ୍ରକ୍ ତଳେ ଚାପି ହୋଇ ରହିଥିଲା। ଅଟୋରେ ଥିବା ଯାତ୍ରୀମାନେ ଭୟରେ ଦୌଡ଼ି ପଳାଇଥିଲେ।
ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକଙ୍କ ଅଭିଯୋଗ ଅନୁସାରେ, ଡ୍ରାଇଭର ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଉଥିଲେ। ପୁଲିସ ଜେରା ବେଳେ ମଧ୍ୟ ସେ ମଦ୍ୟପାନ କରି ଗାଡ଼ି ଚଳାଇଥିବା ସ୍ୱୀକାର କରିଥିବା ସୂଚନା ମିଳିଛି। ତେବେ ଏହି ଅଭିଯୋଗର ସତ୍ୟତା ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ଇନ୍ଫୋସିଟି ପୁଲିସଙ୍କ ଜିମା ଦେଇଥିଲେ। ପୁଲିସ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକର ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ଘଟଣାର ପ୍ରକୃତ କାରଣ ଖୋଜୁଛି।